ତଥାପି ଗାଁ' ହସୁଛି
ତଥାପି ଗାଁ' ହସୁଛି
ତଥାପି ଭୌଗଳିକ ମାନଚିତ୍ରରେ
ଚିତ୍ର ଅଛି ମୋ ଗାଆଁର
ନାହିଁ ଆଉ ପୂର୍ବ ମାଟି-କାଦ ରାସ୍ତା
ଲାଗି ଲାଗି ଥିବା ଘର
ଯେତେ ପୁଅ ସେତେ ଘର ଧାରେ
ପ୍ରାୟତଃ ବିଲୋପ ସାହି
ରାସ୍ତା କଡ ଜମି ବାସ ଉପଯୋଗୀ
ସବୁ ବିପରୀତ ତହିଁ
ଘରର ଛପର ଯାଇଛି ବଦଳି
ପୁଣି କାନ୍ଥ ଓ ଚଟାଣ
ମାଟି ଓ ଗୋବର ମିଶା ଲିପା କାନ୍ଥ
ପାଇଛି ନୂଆ ଜୀବନ
ଗାଆଁ ମୁଣ୍ଡିଆ ର ସେ' ମଶାଣି ଭୂଇଁ
ସ୍ଵର୍ଗଦ୍ଵାର ନାମ ବହି
ଅନ୍ଧାର ଦୂରେଇ ଯାଇଛି ସହଜେ
ଆଲୋକ ଧାରେ ସଜେଇ
ବଦଳି ଯାଇଛି ଗ୍ରାମ୍ୟ ପରିବେଶ
ଜୀବନ ଜୀବିକା ଶୈଳୀ
ସିଂଘାଣି-ନାକି ସେ ଗାଆଁ ଝିଅ ଲାଜ
ଆଉ ନାହିଁ ପୂର୍ବ ଭଳି
ପଡ଼ିଆରେ ଗୁଡ଼ି ଉଡେଇବା ଦୃଶ୍ୟ
ହେଉନି ଦୃଷ୍ଟି ଗୋଚର
ଘଣ୍ଟା ଘଣ୍ଟା ବୁଡ଼ି ପୋଖରୀ ଗାଧୁଆ
ବିରଳ ସେଇ ଦୃଶ୍ୟର
ପ୍ରାୟ ବିଲ ବଣ ପୋଖରୀ ପଡିଆ
ଶୂନ୍ୟତା ବାତାବରଣ
ପୂର୍ବ ପରି ନାହିଁ ସେହି ନିତ୍ୟକର୍ମ
ଖୋଲା ଜାଗା ବି ବାରଣ
ପିଲାଦିନ ସାଙ୍ଗ ସାଥୀ ଭେଟ ପରେ
ଚିହ୍ନି ନ ଚିହ୍ନିଲା ଭାବ
ସବୁରି ହାତରେ ମୋବାଇଲ୍ ସହ
ଲୋପ ପୂର୍ବ ସଦ୍ ଭାବ
ଗାଆଁ ମୁଣ୍ଡ ଗଛ ଛାଇ ତଳ ଖାଲି
ନାହିଁ ଗହଳ ଚହଳ
ବିତିଥିବା ସେଇ ପିଲାଦିନ ଦୃଶ୍ୟ
ନାହିଁ ପିଲାଙ୍କର ଖେଳ
ଆଜିକାଲି ପିଲାଙ୍କର ମୋବାଇଲ୍
ମୋବାଇଲ୍ ସହ ଖେଳ
ଆମ ପିଲାଦିନ ଖେଳରେ ଖେଳରେ
ଦିନ ରାତି ସାଙ୍ଗ ମେଳ
ପୂର୍ବର ସେ ରାସ୍ତା ଘାଟ ଆଉ ଘର
କ୍ରମେ ଯାଇଛି ବଦଳି
ପକ୍କା ରାସ୍ତା କଡେ ଠିଆ କୋଠା ଘର
କିନ୍ତୁ ନାହିଁ ପିଲା ମେଳି
ପ୍ରାୟ ଗାଆଁ ସାରା କଂକ୍ରିଟ ଜଙ୍ଗଲ
ଲୁପ୍ତ ସବୁଜ ବଳୟ
ପରଷ୍ପର ପ୍ରତି ନାହିଁ ପ୍ରେମ ଭାବ
ନାହିଁ ଭାବ ବିନିମୟ
ବିଦ୍ୟୁତ୍ ଓ ଜଳ ଯୋଗାଣ ସୁବିଧା
ପ୍ରାୟତଃ ହାତ ପାଆନ୍ତା
ନୂତନ ସୁବିଧା ହୋଇଛି ଅବଶ୍ୟ
ନାହିଁ ପୂର୍ବ ସରଳତା
ଲୋପ ପ୍ରାୟ ଗାଆଁ ନୀତି ପରମ୍ପରା
ବିକାଶର ଆଢ଼ୁଆଳେ
ଆଧୁନିକତାର ଛାପ ପ୍ରାୟ ସ୍ପଷ୍ଟ
ସଞ୍ଜ ହେଉ ବା ସକାଳେ
ବିଦ୍ୟାଳୟ ଠାରୁ ଗାଆଁ ସ୍ଵର୍ଗଦ୍ଵାର
ସବୁଠି ପରିବର୍ତ୍ତନ
ବିଜୁଳି ଆଲୋକ ଧାରେ ଆଲୋକିତ
ପ୍ରତି ଅନ୍ଧାରୁଆ ସ୍ଥାନ
ବିଦ୍ୟାଳୟ କାନ୍ଥ କହେ ଦଣ୍ଡ ମୁକ୍ତ
ପିଲାଙ୍କର ଭୟ ଶୁନ୍ୟ
ଗୁରୁ ଶିଷ୍ୟ ସମ୍ପର୍କର ସେତୁ ଭଗ୍ନ
ସହଜରେ ଅନୁମାନ
ତଥାପି ମୋ ଗାଆଁ ହସୁଛି ଆନନ୍ଦେ
ସମୟର ତାଳ ଦେଇ
ପରିବର୍ତ୍ତନ ଏ ନିୟମ ସୃଷ୍ଟିର
ପ୍ରତିଧ୍ଵନି କହେ ରହି
ସେଇ ପରିଚିତ ଗାଆଁର ଅତୀତ
ପୁଣି ସେଇ ପିଲାଦିନ
ସେଇ ପିଲାଦିନେ ଥିଲା ହସ ଖୁସି
ଖୁସି ଥିଲା ସେ' ଜୀବନ
ଗାଆଁ ପରିବେଶ ବଦଳି ଯାଇଛି
ମାତ୍ର ସ୍ମୃତି ହୃଦୟରେ
ପିଲାଦିନ ସ୍ମୃତି ରହିଛି ରହିବ
ଥାଇ ମରଣ ଶଯ୍ୟାରେ
ଗାଆଁ ରେ ପହଞ୍ଚି ଘରେ ପାଦ ଦେଇ
ଖୋଜିଲି ପୁରୁଣା ସାଙ୍ଗ
ପିଲାଦିନ ସାଙ୍ଗ ଦେଖାହେଲା ସତ
କିନ୍ତୁ କଥାରେ ଅମଙ୍ଗ
ନିରୋଳା ରେ ରହି ପଚାରେ ନିଜକୁ
କାହିଁ ଆପଣାର ଭାବ
ସେଇ ମାଟି ଘର ,ଅଗଣା ବି ଅଛି
ସତେ ଯେପରି ନିର୍ଜୀବ
ଘରର ଚଟାଣ ଆଉ କାନ୍ଥ ଧାରେ
ନାହିଁ ସେଇ ଝୋଟି ଚିତା
ସ୍କୁଲ୍ ଯାଉଥିବା କୁନି ଝିଅଙ୍କର
ଦିଶୁନି ରୀବନ୍ ଫିତା
ନାହିଁ କାଠ ଚୁଲି , ମାଟି ହାଣ୍ଡି ଭାତ
ଦର ଫୁଟା ଭାତ ବାସ୍ନା
ଘର ଅଗଣାରେ ନାହିଁ ମାଆ ଡାକ
ନାହିଁ ଡାକ ଜହ୍ନ ଜ୍ୟୋତ୍ସ୍ନା
କାଠ ବଦଳରେ ଗୋବର ଘଷି ରେ
ରୋଷେଇ ହୁଏ ସହଜେ
ଚୁଲି ନିଆଁ ମଧ୍ୟେ ଆଳୁ ମକା ପୋଡ଼ା
ଶୁଖୁଆ କ୍ରମଶଃ ବିଜେ
ପଖାଳ ଭାତ ହିଁ ପ୍ରିୟ ଖାଦ୍ୟ ପ୍ରାୟ
ଗାଆଁର ପ୍ରତ୍ୟେକ ଘରେ
ମାଆ ହାତ ରନ୍ଧା ଅମୃତ ଠୁ ବଳି
ତୃପ୍ତି ଅନ୍ତର ଆତ୍ମାରେ
ମାଟି ପଲମ ରେ ଚକୁଳି ପିଠା ର
ସ୍ଵାଦ ବି ଥିଲା ନିଆରା
ଖୁଦ କାଞ୍ଜି ସହ ଶାଗ-ଖରଡ଼ାର
ସତେ ଅବା ପରମ୍ପରା
ପାନ ବଟୁଆ ଓ ଦଉଡିଆ ଖଟ
ବାପାଙ୍କ ପସନ୍ଦ ଧାରେ
କାନ୍ଥରେ ଆଉଜି ରହିଥିବା ଦୃଶ୍ୟ
ରହିଛି ସ୍ମୃତି ଆକାରେ
ଡ଼ିବିରି ବତୀ ର ଝାପ୍ସା ଆଲୁଅରେ
ପାଠ ପଢ଼ୁ ପଢ଼ୁ ନିଦ
ରୋଷେଇ ଘରର ଡାଲି ଛୁଙ୍କ ଧାରେ
ଛିଙ୍କିବା ଥିଲା ଆନନ୍ଦ
କୁନି ପିଲା ମେଳେ ବୁଢ଼ୀ ମା'ର ଗପ
ରଜା ଝିଅ ଭୂତ ନିଆଁ
ହୁଁ ହୁଁ ଉଁ ଉଁ କହି ଶୁଣୁଶୁଣୁ ନିଦ
ପିଲାଙ୍କ ମନ ଛାନିଆ
କନ୍ଥା ବିଛଣାରେ ଶୋଇବାର ମଜା
ଘୋଡ଼ି ହୋଇ ଶୀତ ଦିନେ
ଗେଣ୍ଡୁ ଫୁଲ ଶୋଭା ବାରି ଅଗଣାରେ
ପୁଣି ଗାଆଁ ଉପବନେ
ଯୁବା ବୟସରେ ହୃଦେ ଆକର୍ଷଣ
ଥିଲା ମୋ ପ୍ରିୟା ଗାଆଁରେ
ସେଇ ଗଳି ରାସ୍ତା ପୁଣି କୂଅ ପାଖେ
ଚାହିଁ ଅଛି ନିରୋଳା ରେ
ସେଇ ଗାଁ ମଣିଷ ମନର ଭାବନା
କ୍ରମେ ଯାଇଛି ବଦଳି
ଆନ୍ତରିକତା ବା ମାନବିକତାର
ଭାବ ଯାଇଛି ଝାଉଁଳି
ନିଜ ଘର ପିଣ୍ଡା ଧାରେ ବସି ଆଜି
ଖୋଜୁଛି ପୁରୁଣା ଭାବ
ନିଜକୁ ପଚାରେ ତୁହାଇ ତୁହାଇ
ଆଉ କି ଫେରି ଆସିବ !!
ହୃଦୟବାନ କିଏ ଅଛି ଯେ ଆଉ
ଶୁଣିବ ପୁରୁଣା ଗୀତ
କିଏ ବା ପାରିବ ଫେରେଇ-ଦେବାକୁ
ସେଇ ଅଭୁଲା ଅତୀତ
ମା, ମାଟି,ଗାଁ,ଭାବ,ସ୍ନେହ,ପ୍ରେମ ଧାରେ
ଭାବନା ମୋ ଅନାବନା
ସବୁ କିଛି ଆଜି ସ୍ବପ୍ନ ପରି ଲାଗେ
ସମୟର ବିଡମ୍ବନା
ସେଇ ଗାଁ'ରେ ବି ଥିଲା ମା',ଜନ୍ମ ଦାତ୍ରୀ
ହସୁ ଥିଲା ମୋ ହସରେ
ଥିଲା ବି ମନ ମତାଣିଆ ପ୍ରେମିକା
ହସୁଥିଲା ଇଶାରା ରେ
ନାହିଁ ମା ' ଓ ସେଇ ପ୍ରେମର ପ୍ରେମିକା
ତଥାପି ହସୁଛି ଗାଆଁ
ସେଇ ହସ ଭରା ଗାଆଁ ମୋର ହସେ
ହସ ତା' ନୂଆ କନିଆ
ନୂତନ ତା ପରିଧାନ ପରିପାଟୀ
ବୋଧେ ହସର କାରଣ
ହସୁଛି ମୋ ଗାଁ ନିଜକୁ ସଜେଇ
ହସୁ ଥାଉ ଚିରଦିନ
