ତରୁ
ତରୁ
ହେ ବୃକ୍ଷ ଦେବତା ତୁମରି ପାଦରେ
କରୁଅଛି ପ୍ରଣିପାତ
ତୁମ କୃପାବଳେ ତିଷ୍ଠି ରହି ଅଛି
ଏ ଚରାଚର ଜଗତ ।
ହେଲେ ଏ ମାନବ ବୁଝି ପାରୁ ନାହିଁ
ତରୁ କରଇ ଛେଦନ
ବିଷାକ୍ତ ବାୟୁକୁ ପ୍ରଶ୍ୱାସରେ ନେଇ
ପାଉ ଅଛି କଷ୍ଟମାନ ।
ଏଇ ତରୁ ଯୋଗୁଁ ହୁଅଇ ଯେ ବୃଷ୍ଟି
ହସି ଉଠଇ ଧରଣୀ
ଶସ୍ଯ ଶ୍ୟାମଳାରେ ସୌନ୍ଦର୍ଯ୍ଯରେ ଭରା
ହସୁଥାଏ କ୍ଷେତ ରାଣୀ ।
ତରୁର ଛାୟାରେ ବିଶ୍ରାମ ନିଅନ୍ତି
କେତେ ଜୀବ ଜନ୍ତୁ ପଶୁ
ରାତ୍ରିରେ ଶୟନ କରନ୍ତି ତା ମୂଳେ
ବାଟୋଇ ଖୋଜେ ଆଶ୍ରାକୁ ।
ନିଦାଘ ଋତୁରେ ଖରାର ପ୍ରକୋପୁ
ରକ୍ଷା ପାଇବାର ପାଇଁ
କେତେ ଆଶା ନେଇ ପଥିକଟି ଆସେ
ତାହାରି ପାଶକୁ ଧାଇଁ ।
ହେଲେ ଏ ମାନବ ତାର ଜାତି ଭାଇ
ହାଣି କରୁ ଅଛି ନଷ୍ଟ
ଆଶ୍ରୟ ନିଅଇ ତାହାରି ପାଖରେ
ପାଉଥାଏ ଯେବେ କଷ୍ଟ ।
ତରୁର ପାଖରେ ଶତ୍ରୁ ମିତ୍ରତାର
ଭେଦ ଭାବ କିଛି ନାହିଁ
ତା ପାଖକୁ ଆସି ଯାଇଥାଏ ଯିଏ
ଦେଇଥାଏ ସିଏ ଛାଇ ।
ଯଦି ବା ଦୈବାଦ ତରୁର ଦେହରେ
ଫୁଲ ଫଳ ଆସେ ନାହିଁ
ତାହାରି ଛାଇରୁ ଜୀବନରେ କେବେ
ବଞ୍ଚିତ ହୁଏ କି କେହି ।
ସୁ ପୁତ୍ର ଗୋଟିଏ ଜନ୍ମ ଦେବା ଯାହା
ଗୋଟିଏ ବୃକ୍ଷ ରୋପଣ
ସେଇ ଏକା ପୂଣ୍ୟ ପାଇ ଥାଏ ସିଏ
ଏ କଥା ମାନବ ଜାଣ ।
ସେଥିପାଇଁ ସୂର୍ଯ୍ୟ ବଂଶୀ ରାଜାମାନେ
ବୃକ୍ଷ ରୋପଣ କରନ୍ତି
ସନ୍ତାନଠୁ ବଳି ତରୁ ଦେବତାଙ୍କୁ
ଯତନରେ ସେ ପାଳନ୍ତି ।
ପ୍ରଭୁ ରାମଚନ୍ଦ୍ର ବନବାସ ବେଳେ
ଦେଖି ବାଞ୍ଛା କଳ୍ପବଟ
ଭକତି ଶ୍ରଦ୍ଧାରେ ପୂଜା କରି ଥିଲେ
ମନରେ ଭରି ଉଚ୍ଚାଟ ।
ବୀର ସଉମିତ୍ରୀ ପୂଜା କରି ଥିଲେ
କଲେ ଜନକ ନନ୍ଦିନୀ
ବୃକ୍ଷ ପରିକ୍ରମା କରି ଶରଧାରେ
ହେଲେ ସ୍ୱାମୀ ସୁହାଗିନୀ ।
ତରୁ ଦେବତାଙ୍କୁ ପ୍ରଣାମ କରିଲେ
ଶ୍ରୀରାମ ସୀତା ଲକ୍ଷ୍ମଣ
ଯାହା ସେ ମାଗିଲେ ମନୋବାଞ୍ଛା ତାଙ୍କ
ସବୁ କରିଲେ ପୂରଣ ।
ମଣିଷ ମାରିବା ଯେତିକି ଯେ ପାପ
ଗୋଟେ ବୃକ୍ଷ ଛେଦନରେ
ସେଇ ଏକା ପାପ ମିଳି ଥାଏ ତାକୁ
ଯାଏ ଯମ ନର୍କ ଦ୍ୱାରେ ।
ସୁନାର ମୂଲ୍ୟଠୁ ତରୁର ମୂଲ୍ୟ ଯେ
ଶତେ ଗୁଣ ହେଇ ଥାଏ
ଅମୂଲ ମୂଲ ଯେ ଅଟେ ତାର ମୂଲ
ଦେଇ ପାରି ଥାଏ କିଏ ?
ତରୁର ମହାତ୍ମ୍ୟ ଅଟଇ ଅନେକ
ବର୍ଣ୍ଣବା ପାରିବ କିଏ
ତାର ଉପକାର ଜୀବନରେ ଶୁଝି
ପାରିବ କୁହ ବା କିଏ ? ।
ତରୁ ଯୋଗୁଁ ଅମ୍ନଜାନ ପାଉଅଛେ
ଝରେ ବରଷାର ଧାର
ଶସ୍ଯ ଶ୍ୟମଳେ ହସି ଉଠୁ ଅଛି
ତା ପାଇଁ ଏ ମଞ୍ଚପୁର ।
ମାନବର ତରୁ କରେ ଉପକାର
ଏ କଥା ବୁଝୁନି ନର
ତରୁ ନଷ୍ଟ କରି ଦୁଃଖ କଷ୍ଟ ଭୋଗେ
କାନ୍ଦୁଥାଏ ନିରନ୍ତର ।
ତଥାପି ମାନବ ଚେତା ତ ପଶୁଛି
ଜଗତ ହେଲାଣି କ୍ଷୟ
ତରୁକୁ ବିନାଶ କରି ନିଜ ପାଇଁ
ଡାକି ଆଣେ ବିପର୍ଯ୍ୟୟ ।
ହେ ବୃକ୍ଷ ଦେବତା ତୁମେ ନଷ୍ଟ ହେଲେ
କେମିତି ବଞ୍ଚିବ ନର
କେମିତି ମାନବ ରହିବ ଯେ ତିଷ୍ଠି
ନ ଦିଶେ କିଛି ବିଚାର ।
ଚନ୍ଦ୍ର ଶାପୁ ଏକ ଭାଗ ନେଲ ଏବେ
ନିଜର କର ସୁରକ୍ଷା
ଜନନୀ ଇଳାକୁ ଗୁହାରୀ କରିଣ
ମାନବକୁ ଦିଅ ଶିକ୍ଷା ।
ଯଦି ତରୁ ସିଏ ରୋପଣ କରିବ
ତେବେ ଯେ ତିଷ୍ଠି ପାରିବ
ନହେଲେ ନିଜର ମୃତ୍ୟୁ ପାଇଁ ସିଏ
ନିଜେ ହିଁ ଦାୟୀ ରହିବ ।।
