STORYMIRROR

Lata Behera

Abstract

4  

Lata Behera

Abstract

ତରୁ

ତରୁ

2 mins
305


ହେ ବୃକ୍ଷ ଦେବତା ତୁମରି ପାଦରେ

   କରୁଅଛି ପ୍ରଣିପାତ 

ତୁମ କୃପାବଳେ ତିଷ୍ଠି ରହି ଅଛି

   ଏ ଚରାଚର ଜଗତ ।

ହେଲେ ଏ ମାନବ ବୁଝି ପାରୁ ନାହିଁ 

     ତରୁ କରଇ ଛେଦନ

ବିଷାକ୍ତ ବାୟୁକୁ ପ୍ରଶ୍ୱାସରେ ନେଇ

     ପାଉ ଅଛି କଷ୍ଟମାନ ।

ଏଇ ତରୁ ଯୋଗୁଁ ହୁଅଇ ଯେ ବୃଷ୍ଟି 

      ହସି ଉଠଇ ଧରଣୀ

ଶସ୍ଯ ଶ୍ୟାମଳାରେ ସୌନ୍ଦର୍ଯ୍ଯରେ ଭରା

     ହସୁଥାଏ କ୍ଷେତ ରାଣୀ ।

ତରୁର ଛାୟାରେ ବିଶ୍ରାମ ନିଅନ୍ତି 

     କେତେ ଜୀବ ଜନ୍ତୁ ପଶୁ

ରାତ୍ରିରେ ଶୟନ କରନ୍ତି ତା ମୂଳେ

    ବାଟୋଇ ଖୋଜେ ଆଶ୍ରାକୁ ।

ନିଦାଘ ଋତୁରେ ଖରାର ପ୍ରକୋପୁ 

     ରକ୍ଷା ପାଇବାର ପାଇଁ 

କେତେ ଆଶା ନେଇ ପଥିକଟି ଆସେ

     ତାହାରି ପାଶକୁ ଧାଇଁ ।

ହେଲେ ଏ ମାନବ ତାର ଜାତି ଭାଇ 

    ହାଣି କରୁ ଅଛି ନଷ୍ଟ 

ଆଶ୍ରୟ ନିଅଇ ତାହାରି ପାଖରେ

     ପାଉଥାଏ ଯେବେ କଷ୍ଟ ।

ତରୁର ପାଖରେ ଶତ୍ରୁ ମିତ୍ରତାର

      ଭେଦ ଭାବ କିଛି ନାହିଁ 

ତା ପାଖକୁ ଆସି ଯାଇଥାଏ ଯିଏ

     ଦେଇଥାଏ ସିଏ ଛାଇ ।

ଯଦି ବା ଦୈବାଦ ତରୁର ଦେହରେ 

     ଫୁଲ ଫଳ ଆସେ ନାହିଁ 

ତାହାରି ଛାଇରୁ ଜୀବନରେ କେବେ 

     ବଞ୍ଚିତ ହୁଏ କି କେହି ।

ସୁ ପୁତ୍ର ଗୋଟିଏ ଜନ୍ମ ଦେବା ଯାହା

      ଗୋଟିଏ ବୃକ୍ଷ ରୋପଣ

ସେଇ ଏକା ପୂଣ୍ୟ ପାଇ ଥାଏ ସିଏ

     ଏ କଥା ମାନବ ଜାଣ ।

ସେଥିପାଇଁ ସୂର୍ଯ୍ୟ ବଂଶୀ ରାଜାମାନେ

     ବୃକ୍ଷ ରୋପଣ କରନ୍ତି 

ସନ୍ତାନଠୁ ବଳି ତରୁ ଦେବତାଙ୍କୁ 

      ଯତନରେ ସେ ପାଳନ୍ତି ।

ପ୍ରଭୁ ରାମଚନ୍ଦ୍ର ବନବାସ ବେଳେ

     ଦେଖି ବାଞ୍ଛା କଳ୍ପବଟ

ଭକତି ଶ୍ରଦ୍ଧାରେ ପୂଜା କରି ଥିଲେ

     ମନରେ ଭରି ଉଚ୍ଚାଟ ।

ବୀର ସଉମିତ୍ରୀ ପୂଜା କରି ଥିଲେ

     କଲେ ଜନକ ନନ୍ଦିନୀ 

ବୃକ୍ଷ ପରିକ୍ରମା କରି ଶରଧାରେ 

     ହେଲେ ସ୍ୱାମୀ ସୁହାଗିନୀ ।

ତରୁ ଦେବତାଙ୍କୁ ପ୍ରଣାମ କରିଲେ

     ଶ୍ରୀରାମ ସୀତା ଲକ୍ଷ୍ମଣ 

ଯାହା ସେ ମାଗିଲେ ମନୋବାଞ୍ଛା ତାଙ୍କ  

     ସବୁ କରିଲେ ପୂରଣ ।

ମଣିଷ ମାରିବା ଯେତିକି ଯେ ପାପ

     ଗୋଟେ ବୃକ୍ଷ ଛେଦନରେ

ସେଇ ଏକା ପାପ ମିଳି ଥାଏ ତାକୁ 

    ଯାଏ ଯମ ନର୍କ ଦ୍ୱାରେ ।

ସୁନାର ମୂଲ୍ୟଠୁ ତରୁର ମୂଲ୍ୟ ଯେ

    ଶତେ ଗୁଣ ହେଇ ଥାଏ

ଅମୂଲ ମୂଲ ଯେ ଅଟେ ତାର ମୂଲ

    ଦେଇ ପାରି ଥାଏ କିଏ ?

ତରୁର ମହାତ୍ମ୍ୟ ଅଟଇ ଅନେକ

    ବର୍ଣ୍ଣବା ପାରିବ କିଏ

ତାର ଉପକାର ଜୀବନରେ ଶୁଝି 

    ପାରିବ କୁହ ବା କିଏ ? ।

ତରୁ ଯୋଗୁଁ ଅମ୍ନଜାନ ପାଉଅଛେ 

    ଝରେ ବରଷାର ଧାର

ଶସ୍ଯ ଶ୍ୟମଳେ ହସି ଉଠୁ ଅଛି

    ତା ପାଇଁ ଏ ମଞ୍ଚପୁର ।

ମାନବର ତରୁ କରେ ଉପକାର 

     ଏ କଥା ବୁଝୁନି ନର

ତରୁ ନଷ୍ଟ କରି ଦୁଃଖ କଷ୍ଟ ଭୋଗେ

    କାନ୍ଦୁଥାଏ ନିରନ୍ତର ।

ତଥାପି ମାନବ ଚେତା ତ ପଶୁଛି 

      ଜଗତ ହେଲାଣି କ୍ଷୟ 

ତରୁକୁ ବିନାଶ କରି ନିଜ ପାଇଁ 

     ଡାକି ଆଣେ ବିପର୍ଯ୍ୟୟ ।

ହେ ବୃକ୍ଷ ଦେବତା ତୁମେ ନଷ୍ଟ ହେଲେ

    କେମିତି ବଞ୍ଚିବ ନର

କେମିତି ମାନବ ରହିବ ଯେ ତିଷ୍ଠି 

    ନ ଦିଶେ କିଛି ବିଚାର ।

ଚନ୍ଦ୍ର ଶାପୁ ଏକ ଭାଗ ନେଲ ଏବେ

   ନିଜର କର ସୁରକ୍ଷା

ଜନନୀ ଇଳାକୁ ଗୁହାରୀ କରିଣ

   ମାନବକୁ ଦିଅ ଶିକ୍ଷା ।

ଯଦି ତରୁ ସିଏ ରୋପଣ କରିବ 

    ତେବେ ଯେ ତିଷ୍ଠି ପାରିବ

ନହେଲେ ନିଜର ମୃତ୍ୟୁ ପାଇଁ ସିଏ 

    ନିଜେ ହିଁ ଦାୟୀ ରହିବ ।।



Rate this content
Log in

Similar oriya poem from Abstract