କବିତା - ତୃଷ୍ଣା ବିତୃଷ୍ଣା
ରଚନା - ପଞ୍ଚାନନ ଜେନା
ତାରିଖ - ୩୧-୦୫-୨୦୨୫
ହାଇସ୍କୁଲ ପରୀକ୍ଷା ସରୁ ସରୁ
ଗାଁ ଛାଡ଼ି ସହର ମୁଁହା ଯାତ୍ରାରମ୍ଭ
ସମର୍ କ୍ଲାସ୍ ସରୁକି ନସରୁ
କଲେଜ ଏଡମିଶନ୍ ପୁଣି ବିଦ୍ୟାରମ୍ଭ
ଆଉ ସେହି ଗାଁ ଛାଡିବା ସମୟରୁ
ସେହି ପେନସିଲ୍ ଦାଗ ଭଳିଆ
ପତଳା ଧାରେ ନିଶ ଉଠିଲା ବେଳରୁ
ତୁମକୁ ଭୂଲିବାକୁ
ବାରମ୍ବାର ଚେଷ୍ଟା କରୁଥିଲି
ତୁମକୁ ଭୁଲିଯିବାର ପ୍ରାକ୍ ପ୍ରାରମ୍ଭ ଆରମ୍ଭି ଥିଲି
ମାତ୍ର ତୁମ କମକୂଟ ଛବିର ଚିତ୍ରଲିପି
ଚକ କଳ ବହିର ଚିତ୍ରପଟ ପରି
ପ୍ରାତସ୍ମରଣୀୟ ଓଁକାର ଧ୍ଵନି ପରି
ଜଳଜଳ ଦିଶୁଥିଲା ହଲିଲା ପାଣିରେ ହଲି ଦୋହଲି
ଆହୁରି ନହୁଲି ଆହୁରି ମଖମଲି
ପାଚିଲା ଆମ୍ବ ରଙ୍ଗରେ ହଳଦୀଗଣ୍ଠି ପୋଇଲି
ତୁମକୁ ଭାବିବାରେ
ବି ଗୋଟେ ମସଲା ମଜା
ତୁମକୁ ନେଇ ଭାବନାରେ
ନିମଗ୍ନ ହେବା
ବି ବାସେ ପୁରୀ ଖଜା
ତୁମକୁ ନେଇ ବଳୟ ବିନ୍ଦୁରେ
ନିମ୍ଳିତ ନୟନରେ
ବି ଶୁଭେ ବଇଁଶି ବାଜା
ସହରରେ କୁମାରୀଙ୍କ ଅସମ୍ଭବ ଗହଳି
କଲେଜରେ ସୁନ୍ଦରୀ ଝିଅଙ୍କ ଚହଳ ଚହଳି
ମାତ୍ର ତୁମେ ବାରିହୋଇ ଯାଅ
କୃଷ୍ଣଚୁଡ଼ାର ନାଲି ଓଢଣି ପରି
ଧାଡି ଧାଡି ଗଛ ଭିତରୁ ଆପେ ଆପେ
ଆଖିଦୃଶିଆ ରକ୍ତାଭ ମଣ୍ଡଳି
ଭୂଲିବାକୁ ଚେଷ୍ଟା ଜାରି ରଖିଛି
ତୁମେ ଖାତା ବହିରେ ବେଶି ଖତେଇ ହେଉଛ
ଘଡ଼ିଏ ଦି ଘଡି ନ ଭାବିଲେ
ତୁମେ କଲେଜ କାନ୍ଥ ଡ଼ାଳ ପତ୍ରରେ ମୁରୁକି ଦେଉଛ
ଭୂଲିବା ବଦଳିଯାଇଛି
ବୋଧେ ଭଲ ପାଇବାରେ
ଭାବିବା ରୂପ ନେଇଛି
ବୋଧେ ପ୍ରେମ କରିବାରେ
କଳ୍ପିବା ରଙ୍ଗ ମାରିଛି
ବୋଧେ ଜୀବନ ସାଥି କରିବାରେ
ହାଏ ରେ ସମୟର ଡ଼ାକରା
ହାଏ ରେ ଜୀବନର ହୁଗୁରା
ବୋଉ କହୁଥିଲା ବାପାଙ୍କୁ
ତୁମ ବାହାଘର ବୈଶାଖ କୋଡିଏ ତାରିଖକୁ
ସରପଞ୍ଚ ବାବୁଙ୍କ ହୁଣ୍ଡା ପୁଅ ହାତ ଧରିବାକୁ
ନିମନ୍ତ୍ରଣ ପତ୍ର ବଣ୍ଟା ସରିଲାଣି ଅଗୁରା
ଭୂଲିବା ଗାଢ଼ ପ୍ରଗାଢ଼
ଚିନି ସିରା ପରି ଦାନା ବାନ୍ଦିଛି
ଭୂଲିବା ତୃଷ୍ଣା ବିତୃଷ୍ଣା
ନବୀନ ବାଜପେୟୀ ପରି ଚିର କୁମାର ହେବାର ମହୁଆ ନିଶା
ଚିନ୍ତା ଚେତନାକୁ ଆହୁରି ବଳିଷ୍ଠ କରିଛି