ତ୍ରିଶଙ୍କୁ
ତ୍ରିଶଙ୍କୁ


ତୋ ଶୂନ୍ୟତାକୁ ଭରିବା ନିଶାରେ
ମୁଁ ଶୂନ୍ୟ ହୋଇ ଗଲିଣି
ତୋ ପୂଣ୍ୟତୋୟା ସ୍ମୃତିର ତୀର୍ଥରେ
ବୁଡ ପକାଉ ପକାଉ
ନିଜ ଠିକଣା ବି ଭୁଲି ଗଲିଣି
ନିଜଠାରୁ ନିଜେ ଦୂରେଇ ଗଲିଣି
ତୋତେ ପାଇବାର ନିଶାରେ
ଯାହାର ଚରଣ ତୀର୍ଥ ନିତି ଖୋଜୁଥିଲି
ହଜାଇଲିଣି ଅତୀତ ପୃଷ୍ଠାରେ
ପୁରାଣ ପୋଥି ମୋ ଅଳନ୍ଧୁ ଭିତରେ
ଦିଶିଲାଣି ଝାପ୍ସା ଝାପ୍ସା
ମନେ ପଡୁନାହିଁ ମହାହାଭାରତ କି
ରାମାୟଣ ଚଉତିଶା
ଚାରିଧାମ ଯିବା ନିଶାଟା ମୋହର
ଦୁଇଧାମେ ହେଲା ଶେଷ
ପୁରାଣ ପୋଥି ମୋ ବାନ୍ଧି ଥୋଇଦେଲି
ଯେବେ ଛାଡିଲୁ ତୁ ଶେଷ ନିଶ୍ୱାସ
ଦୁଇ ଦୁନିଆର ମଝି ପାହାଚରେ
ମୁଁ ଏବେ ଝୁଲୁଛି ତ୍ରିଶଙ୍କୁ ହୋଇ
ତୁ' ନଦୀ ପରି ବହି ଚାଲିଗଲୁ
ତ୍ୱରାନ୍ୱିତ ବେଗରେ
ମୋ ବାକି ଆୟୁଷକୁ ନେଇ ।