ତ୍ରାଣକର୍ତ୍ତା
ତ୍ରାଣକର୍ତ୍ତା
ବିପଦ ନାଶନ ହେ ଚକା ନୟନ
ଦିନବନ୍ଧୁ ତ୍ରାଣକର୍ତ୍ତା ।
ଆରତ ନାଶନ ପ୍ରଭୁ ଜନାର୍ଦ୍ଦନ
ତୁମେ ହିଁ ଜଗତ କର୍ତ୍ତା ।
ଅନନ୍ତ ଆକାଶେ ଅନନ୍ତ ମହିମା
ମୁଁ ଛାର କ୍ଷୁଦ୍ର ମାନବ ।
ଛୋଟ ମନ ନେଇ ପାରିବିକି ଛୁଇଁ
ତୁମେତ ମହାନୁଭବ ।
ପାରିବିନି ଧରି ତୁମେ ମହାବାହୁ
ସଂସାର ପଥ ପଥିକ ।
ବଢାଇବା ହାତ ପାରୁ ନାହିଁ ଧରି
ପାପର ମାତ୍ରା ଅଧିକ ।
ମାଗି ତ ନଥିଲି ସୁଖର ଐଶ୍ୱର୍ଯ୍ୟ
କାହିଁକି କଲ ଛଳନା ।
ମାୟା ମରୀଚିକା ମିଛ ପ୍ରହେଳିକା
କୁହୁକ ଧନ କଳ୍ପନା ।
ଝୁରିବା ପାଇଁକି କରିଥିବ କିବା
ତୁମେ ପରା ମାୟାଧର ।
ମନ ଅଳିନ୍ଦରୁ ପୋଛି ଦିଅ ବାରେ
ମିଛ ଲାଳସା ଦୁର୍ବାର।
ଲେଖିବା କହିବା ସହଜ ସୁବୋଧ
ସହିବାକୁ ଲାଗେ କଷ୍ଟ ।
ତୁମେ ମୋର ଗୁରୁ ସ୍ୱୟଂ ପରବ୍ରହ୍ମ
ଭବ ସାଗରର ଇଷ୍ଟ ।
ଉଦ୍ଧାରିନେ ନାଥ ଭବ ପାରାବାରୁ
ମିଛ ସଂସାରର ଖେଳ ।
ଜୀବନ ଯନ୍ତ୍ରଣା ଦୁଃସହ ହେଲାଣି
ନାବ ଦିଅ ଆଦି ମୂଳ ।
