ତୋର ଦରଶନେ ହେବି ମୁଁ ମୁଗ୍ଧ
ତୋର ଦରଶନେ ହେବି ମୁଁ ମୁଗ୍ଧ
ବିମୁଗ୍ଧ ଚକିତ ଚଉଦ ଭୁବନ
ବଡଦାଣ୍ଡ ଲୋକାରଣ୍ୟ
ଅପ୍ରତିମ ଦିବ୍ଯ ଶ୍ରୀଗୁଣ୍ଡିଚା ଯାତ
ବିରଳ ବିଶ୍ବେ ଅନନ୍ଯ ।
ଶୁଭେ ଜୟଘୋଷ ଜୟ ଜଗନ୍ନାଥ
ହରିବୋଲ ହୁଳହୁଳି
ବାଜେ ଭେରୀ ତୁରୀ ଘଣ୍ଟା ଓ କାହାଳୀ
ଉଛୁଳି ପଡେ ଗହଳି ।
ପାର୍ଶ୍ବ ଦେବାଦେବୀ ଅଶ୍ବ ସୁସଜ୍ଜିତ
ସାରଥି ରଥେ ପ୍ରସ୍ତୁତ
ବିଜେ ହୁଅ ପ୍ରଭୁ ଚତୁର୍ଦ୍ଧା ମୂରତି
ଦାରୁବ୍ରହ୍ମ ଜଗନ୍ନାଥ ।
ଉଡେ ଫରଫର ପତାକା ଉନ୍ନନି
ତାଳଧ୍ବଜେ ବଳରାମ
ମାତା ସୁଭଦ୍ରାଙ୍କ ଦେବଦଳନରେ
ନାଦମ୍ବିକା ଶୋଭମାନ ।
ରଥ ନନ୍ଦିଘୋଷ ଗରୁଡଧ୍ବଜରେ
ଉଡେ ତ୍ରିଲୋକମୋହିନୀ
ଚର୍ମ ଚକ୍ଷୁ ଦେଖି ରହିଯାଏ ଲାଖି
ମନ ସ୍ବତଃ ନିଏ ଟାଣି ।
କରିବି ଦର୍ଶନ ରଥରେ ବାମନ
ସୁବେଶ ତଡାଉ ବଡ
ଭିିଡି ମୁଁ ଟାଣିବି ଦଉଡି ବାସୁକୀ
ସ୍ବର୍ଣ୍ଣଚୂଡ ଶଙ୍ଖଚୂଡ ।
ଗୁଣ୍ଡିଚା ବାହୁଡା ନିଳାଦ୍ରି ବିଜୟ
ଯାତ ନବଦିନାତ୍ମକ
ଦରଶନେ ମୁଗ୍ଧ ହେବି ମୁଁ ପତିତ
ଜୀବନ ହେବ ସାର୍ଥକ ।
