ତୋ ହସରୁ ଟିକିଏ ଦେ
ତୋ ହସରୁ ଟିକିଏ ଦେ
ଜୀବନ ସାରା ମୁଁ ଖଟି ଖଟି ମଲି
ସୁଖଟିକେ ଦେଲ ନାହିଁ
ହା ହତାଶାରେ ଜୀବନ ବିତିଲା
ଶାନ୍ତି ନ ପାଇଲି କାହିଁ ।।
ତତେ ଡାକିବାର ଅବହେଳା ନାହିଁ
ଭଲ ଭାବେ ଜାଣିଥିବ
ମୋ କର୍ମରେ କ'ଣ ସୁଖ ଲେଖା ନାହିଁ
ଦୟାକରି ଜଣାଇବ ।।
କାନ୍ଦ ମୋର ପୁରା ଚିର ସହଚର
ହସିବା କଣ ଜାଣିନି
ତୋ ହସରୁ ଟିକେ ଇଛା ହେଉଅଛି
ଦବୁ କି ସାଆନ୍ତ ମଣି ?
ତୋର ହସ ନେଇ ହସିବା ଶିଖନ୍ତି
ହସ ଲାଗେ କେଉଁପରି
ହସି କିଞ୍ଚିତେ ମୁଁ ଦୁଃଖକୁ ଭୁଲନ୍ତି
ହୁଅନ୍ତି ଦରିଆ ପାରି ।।
ତୋ ହସରେ ପରା ଯାଦୁ ରହିଅଛି
ମୋହିତ ହ୍ୱନ୍ତି ଜଗତ
ସେ ହସ ଦେଖିଲେ ଦୁଃଖ ଭୁଲିଯାନ୍ତି
ପାଆନ୍ତି ପରମ ସୁଖ ।।
ମନ ମତାଣିଆ ହସ ଅଟେ ତୋର
ଭକତଙ୍କୁ କରୁ ବାଇ
ମୋ ବେଳକୁ କିଆଁ ପଥର ସାଜୁଛୁ
ଭାବର ଠାକୁର ହୋଇ ।।
ଭାବ ବାନ୍ଧିଅଛି ତୋ ସାଙ୍ଗରେ ମୁହିଁ
ଚିର ଦିନ ପାଇଁ ଧନ
ଏ ବୃଦ୍ଧ ବୟସେ କାହିଁକି ଆଉ ତୁ
କରୁଅଛୁ ହିନିମାନ ।।
ଦେରେ କାଳିଆ ଆଉ କିଛି ନୁହେଁ
କେବଳ ହସରୁ ଥରେ
ସେ ହସ ରହିଲେ ମୁହଁରେ ମୋହର
ଶୋଇଯିବି ଶାନ୍ତି ଭରେ ।।
