ତନ୍ମୟ ଭକ୍ତ ପ୍ରେମରେ
ତନ୍ମୟ ଭକ୍ତ ପ୍ରେମରେ
ସତ୍ୟ ତ୍ରେତୟା ଓ ଦ୍ଵାପର ଯୁଗରେ
ଭକ୍ତ ବନ୍ଧୁ ଭାବେ ଗଣା
କଳିରେ ଶ୍ରୀକ୍ଷେତ୍ରେ ଦାରୁ ରୂପେ ବିଜେ
ଜଗବନ୍ଧୁ ଭାବେ ଜଣା
ଶ୍ରୀବତ୍ସ ବ୍ରାହ୍ମଣ ଭକ୍ତ ପାଦ ଚିହ୍ନ
ହୃଦରେ କରି ବହନ
ଭକ୍ତ ପ୍ରେମୀ ଭାବେ ଏ ଭବ ଜାଣିଛି
ଭାବଗ୍ରାହୀ ଭଗବାନ
ଦାସିଆ ଠୁ ହାତ ବଢ଼େଇ ନଡ଼ିଆ
ନେବା କଥା ସର୍ବେ ଜ୍ଞାତ
ସାଲବେଗ ପାଇଁ ଅପେକ୍ଷାରେ ଥିଲା
ବଡ ଦାଣ୍ଡେ ଯାତ୍ରା ରଥ
ଅନ୍ୟ ଏକ ଭକ୍ତ ସେ' ବନ୍ଧୁ ମହାନ୍ତି
ବାସ ସ୍ଥାନ ଯାଜପୁରେ
ପ୍ରଭୁ ନାମ ସ୍ମରି ଭିକ୍ଷା ବୃତ୍ତି ସହ
କୁଟୁମ୍ବ ପାଳନ କରେ
ପୂର୍ବ ପରି କ୍ରମେ ଭିକ୍ଷା ନ ମିଳିଲା
ଭୋକ ଦାଉ ନ ସମ୍ଭାଳି
ପରିବାର ସହ ଶ୍ରୀକ୍ଷେତ୍ରକୁ ଆସି
ଠାକୁରଙ୍କୁ କଲେ ଅଳି
ବହୁ ଦିନ ହେଲା ଖାଲି ପେଟ ଦାଉ
କ୍ରମେ ହେଲା ଅସମ୍ଭାଳ
ପେଜ ନଳା ଦେଖି ସର୍ବେ ପେଜ ପିଇ
ଶାନ୍ତି ଲଭିଲେ ତତ୍କାଳ
ପରିବାର ସହ ଭୂମି ଚଟାଣରେ
ରାତ୍ରୀ କାଳେ ନିଦ୍ରାଗତ
ଭକ୍ତର କଷଣ ଜାଣିଲେ ଠାକୁର
ଭକ୍ତ ପାଖେ ଉପସ୍ଥିତ
ନିଜ ଭୋଗ ଥାଳି ଭକ୍ତକୁ ବଢ଼ାଇ
ପ୍ରଭୁ ହେଲେ ଅନ୍ତର୍ଦ୍ଧାନ
ସରଳ ଭକତ ଜାଣି ନ ପାରିଲା
ଭୋଗ ଦେଲେ ଭଗବାନ
ଅମୃତ ପ୍ରସାଦ ସେବନ କରିଲେ
ଏକତ୍ର ସପରିବାରେ
ଭୋଗ ଥାଳି ରହି ଥିଲା ଚଟାଣରେ
ସର୍ବେ ଆରାମ ନିଦ୍ରାରେ
ଭୋଗ ଥାଳି ନାହିଁ ଠାକୁର ପାଖରେ
ଖୋଜିଲେ ସର୍ବ ସେବକ
ପେଜ ନଳା ପାଖେ ଥାଳି ଅଛି ରହି
ସର୍ବେ ହୋଇଲେ ଅବାକ
ଚୋର ଆଖ୍ୟା ସହ ବନ୍ଧୁ ମହାନ୍ତିଙ୍କୁ
ରଖିଲେ କାରାଗାରରେ
ଆକୁଳ ହୃଦୟେ ଡାକ ଦେଲେ ଭକ୍ତ
କି ଦୋଷ ଅଛି ମୋ' ଠାରେ
ଅନ୍ତର ଆତ୍ମାରେ ଭକ୍ତ କାନ୍ଦୁ ଥିଲା
ଅନ୍ତର୍ଯ୍ୟାମୀ ଜାଣି ଗଲେ
ସ୍ୱପ୍ନାଦେଶ ଦ୍ଵାରା ଠାକୁର ରାଜାଙ୍କୁ
ମୁକ୍ତି ଦେବାକୁ କହିଲେ
ପ୍ରଥମ ସେବକ ପାଇଲେ ସନ୍ଧାନ
ବନ୍ଧୁ ମହାନ୍ତି ଠିକଣା
ସ-ସମ୍ମାନେ ଭକ୍ତ ମନ କଥା ବୁଝି
ବ୍ୟବସ୍ଥା କଲେ ଯୋଜନା
ପ୍ରଭୁ ଭକ୍ତ ପ୍ରଭୁ ନାମ ଜପି ସଦା
ଶ୍ରୀକ୍ଷେତ୍ରେ କଲେ ବସତି
ଭକ୍ତ ପ୍ରିୟ ପ୍ରଭୁ କାଳିଆ ସାଆନ୍ତ
ଭକ୍ତ ଜଣାଏ ପ୍ରଣତି
ଭକ୍ତ ହୃଦୟର ଭକ୍ତି ଭାବ ଜାଣି
ଭକ୍ତ ବନ୍ଧୁ ଭାବଗ୍ରାହୀ
ଭକ୍ତ ନିକଟକୁ ଆସନ୍ତି ତ୍ୱରିତେ
ଭକ୍ତ ଦୁଃଖେ ଦୁଃଖୀ ହୋଇ
ଧନ୍ୟ ପ୍ରଭୁ ଧନ୍ୟ ତୁମ ଭକ୍ତ ପ୍ରେମ
ଅଛି ଯୁଗ ଯୁଗ ଧରି
ନିଷ୍ଠା ସହ ଭକ୍ତି ଭାବ ଥିଲେ ହୃଦେ
ପ୍ରଭୁ ଧରିବେ ଉଦ୍ଧରି
ଭକ୍ତଙ୍କ ହିତରେ ଘୋଷ ଯାତ୍ରା ବିଧି
ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ
ପତିତ ପାବନ ସ୍ଵୟଂ ଜଗନ୍ନାଥ
ତନ୍ମୟ ଭକ୍ତ ପ୍ରେମରେ
ବନ୍ଧୁ ମହାନ୍ତି ର ଦୁଃଖ ପରି ଦୁଃଖ
ହେଲେ ଜୀବନେ ଜଡ଼ିତ
ଭକ୍ତ ଭାବ ରଖି ଶ୍ରୀଜଗନ୍ନାଥଙ୍କୁ
ଦୁଃଖ ହେଉ ସମର୍ପିତ।
