ତିରଣ
ତିରଣ
ସମର୍ପିତ ମନ ଯାର ହୃଦୟେ କାମନା
ଧର୍ଯ୍ୟ ବଳେ ପାରି କରେ ଦୁଷ୍ପୂର ଭାବନା ।
ତିରଣକୁ ଦନ୍ତେ ଧରି ପ୍ରଭୁ ପାଦେ ଚିତ୍ତ
ପ୍ରଗାଢ ସଂକଳ୍ପ କରେ ହୋଇ ଦ୍ରବୀଭୂତ ।
ବିଚ୍ୟୁତ ହୁଏନା କଦା ଲକ୍ଷ୍ୟ ର ସାଧନେ
ବିନା ଅନ୍ନ ଜଳ ସ୍ପର୍ଶେ ନିମଜ୍ଜିତ ଧ୍ୟାନେ ।
ନଗ୍ନ ପାଦେ ଅତିକ୍ରମ କରୁ ଥାଏ ପଥ
ନିଦ୍ରା ତନ୍ଦ୍ରା ସୁଖ ଶାନ୍ତି ତ୍ୟାଗୀଣ ଶପଥ ।
ଯେବଣ ମନୁଷ୍ୟ ବୁଝେ ତିରଣ ମହତ୍ବ
ପରକୁ ଆପଣା କରି ବଢାଏ କୃତିତ୍ୱ ।
ନିଃସ୍ବ ଜନ ପାଇଁ ସ୍ବର୍ଗ ତିରଣର ଛାତ
ଯେଉଁ ଛାତ ତଳେ ଥାଏ ମୁଠେ ଶାନ୍ତି ଭାତ ।
ନହେଉ କୋଠରୀ ଶୋଭା ସୌନ୍ଦର୍ଯ୍ୟଶାଳିନୀ
ତିରଣ ଫାଙ୍କରୁ ସୁଖେ ଚାନ୍ଦର ଚାନ୍ଦିନୀ ।
ଆଲୋକ ମାନେ ସଜ୍ଜିତ ନହେଉ ନିଳୟ
ତରଙ୍ଗାୟିତ ହେଉ ନିତି ପ୍ରେମର ପ୍ରଳୟ ।
ଜୀବନେ ତିରଣ ସାହା ଯେହ୍ନେ ସଂଜୀବନୀ
ନିଃସୃତ ରସରୁ ଟୋପେ ହୁଏ ଜୀବଦାନୀ ।
ସବୁଜିମା ରଙ୍ଗ ତାର ସର୍ବଦା ଅମ୍ଳାନ
ତୃଣଭୋଜୀ ପ୍ରାଣ ବଞ୍ଚେ ଭୁଞ୍ଜି ଏ ତିରଣ ।
ଜଗତର ହିତେ ଦିଏ ମହାନତା ଦାନ
କ୍ଷୁଦ୍ର ଏକ ପ୍ରାଣ ତାର କର୍ମ ଗୁଣେ ଧନ୍ୟ ।
ତା ପାଇଁ ସୁନ୍ଦର ଦିଶେ ଶୁଷ୍କ ମରୁଦ୍ୟାନ
ପ୍ରଭାତେ ଶିଶିର ବିନ୍ଦୁ କରାଏ ତଲ୍ଲୀନ୍ନ ।
ପ୍ରକାଣ୍ଡ ନୁହଁଇ କାୟା ମେଦିନୀର ଶୋଭା
ବିବିଧ ରଙ୍ଗିନ ପୁଷ୍ପେ ଅତି ମନୋଲୋଭା ।
ଘାସ , ନଡ଼ା କେତେ ନାମେ ନାମେ ସେ ସୁନ୍ଦର
ତାର ଉପକାରୀ ସଦା ଏ ଧରା ପୃଷ୍ଠାର ।
