STORYMIRROR

Sanuja Meghamala

Abstract Others

4  

Sanuja Meghamala

Abstract Others

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
216


ପତ୍ର ଝଡ଼ା ଦେଲା ପରେ

ଥୁଣ୍ଟା ଗଛଟା ଗୋଟେ ନିର୍ଜୀବ

କଙ୍କାଳ ପରି ଠିଆ ହୋଇ ଯାଏ

ଶୁଖିଲା ଶାଖା ପ୍ରଶାଖାକୁ ଧରି

ନିରସ ନିସଙ୍ଗ ସ୍ଥିର ଏବଂ

କୋଳା ହଳ ଶୂନ୍ୟ ଭାବରେ।

ନା ଥାଏ ତା ଦେହରେ ପୂର୍ବର

ସେ ଚଳ ଚଞ୍ଚଳତା,ଉନ୍ମାଦନା

ଧୀର ପବନରେ ଝୁମିବାର ନିଶା

ବୟସର ଅପରାହ୍ନ ସୂଚନା ଦିଏ

ସରି ଆସୁଥିବା ହାତ ଗଣତି ସମୟର।

କେବେ ଦିନେ ସେ ଗଛ

ଫୁଲ ପତ୍ର ଫଳରେ ଭର୍ତ୍ତି

ହୋଇ ଝଙ୍କାଳିଆ ଥିଲା

ଦେବାରେ ହିଁ ଆନନ୍ଦ ଭାବି

ଦେଇଗଲା ନିଜର ସବୁକିଛି

ସମୟ ସାକ୍ଷୀ ସେ ଘଟଣାର।

ଦିନେ ତା ଦେହରେ ବସା ବାନ୍ଧି

ରହିଥିଲେ ଭିନ୍ନ ଭିନ୍ନ ପକ୍ଷୀ

ପକ୍ଷୀଙ୍କର ସେ କିଚିରି ମିଚିରି

ଗହଳ ଚହଳ , ଡେଣା ମେଲି

ଫର ଫର ଉଡି ଯାଇ ପୁଣି

ଫେରି ଆସିବାର ଆକର୍ଷଣ

ଗୋଟେ ପୂର୍ଣ୍ଣତାର ଆନନ୍ଦ

ଭରି ଦେଉଥିଲା ପ୍ରତି କ୍ଷଣରେ।

ପୂର୍ଣ୍ଣିମାର ଆଲୋକ

ଅମାବାସ୍ୟାର ଅନ୍ଧାର

ଝଡ ବର୍ଷା , ଶୀତ ଗ୍ରୀଷ୍ମ

ବାତ୍ୟାର ପ୍ରକୋପ ସବୁ ସହି

ଦମ୍ଭର ସହ ଛିଡ଼ା ହୋଇଥିଲା ଯେ

ଆଜି ସେ ପତ୍ର ଶୂନ୍ୟ  ଥୁଣ୍ଟା ଗଛ

ସମୟର ତାଡନାରେ।

ସେହି ଥୁଣ୍ଟା ଗଛଟା

ଜାଗ୍ରତ କରାଏ ମଣିଷକୁ

ସମୟ ବଦଳି ଯାଏ

କ୍ୟାଲେଣ୍ଡର ର ପୃଷ୍ଠା ଭଳି

ଅପେକ୍ଷା କରେନାହିଁ

କାହା ପ୍ରଶ୍ନ ବା ଉତ୍ତରକୁ

ଗତି ତାର ଅବିଚଳିତ

ପରିବର୍ତ୍ତନ ତାର ନିୟମ।

ମୋର ମୋର କହି

ଅଳିକ ସ୍ଵପ୍ନରେ ଅନ୍ଧ ହୋଇ

ଯେଉଁ ମାନଙ୍କୁ ନିଜର କରିବ

ଉଡ଼ିବା ଶିଖିବା ପରେ ସେମାନେ

ଉଡି ଯିବେ ନିଜର ଏକ

ନୂଆ ନୀଡ ସନ୍ଧାନରେ।



Rate this content
Log in

Similar oriya poem from Abstract