" ଥୁଣ୍ଟା ଗଛ "
" ଥୁଣ୍ଟା ଗଛ "
ଏଇ କୋଳେ ଖେଳୁଥିଲେ
କେତେ ବିହଙ୍ଗମା
ଚଞ୍ଚୁ ଘଷି ଏ ଶରୀରେ ,
ପର ଝାଡି ଯାଉଥିଲେ ଉଡ଼ି
ଦୂର ନୀଳ ଆକାଶ ପ୍ରାନ୍ତରେ ।
ସବୁ ଜାତି ମଣିଷ ବସୁଥିଲେ
ପଥପ୍ରାନ୍ତ ପଥିକ ବି
ନିର୍ବିଘ୍ନରେ ଥକ୍କା ମାରେ ,
ଭରିଥିଲା ଯେବେ
ପୁଣ୍ଯପ୍ରସୁ ଯୈାବନରେ
ଫୁଲ ଫଳ ଅସଂଖ୍ୟ ପତ୍ରରେ ।
ସେଇ ବୀଜଟିଏ ଥିଲି
ଖାଦକ ବତାସ ଭୟେ
ବୁନ୍ଦା ବୁନ୍ଦା ବରଷା ପାଣିରେ ,
ଚାହୁଁ ଚାହୁଁ ହୋଇଥିଲି
ଡାଳ ମୂଳେ ପତ୍ରେ ସଜା
ନିର୍ଦ୍ଵନ୍ଦରେ ମିଶିଥିଲି ପ୍ରକୃତିରେ ।
ବୟସଟା ଥିଲା ବୋଲି
ଯାହା କିଛି ଥିଲା ମୋର ପାଶେ
ସମର୍ପିଲି ଅକୁଣ୍ଠ ଚିତ୍ତରେ ,
ମର୍ତ୍ତ୍ୟରେ ବହି ଶରୀର
ଆଉ ଅବା କେତେ ଦିନ
ଚାହିଁଛି ଚାତକ ପରାଏ ।
ଏଇ ଏବେ ବିହଙ୍ଗମା ଉଡିଗଲେ
ଦୃଷ୍ଟି ପଡିଲାନି କାହିଁ
ଏ ଥୁଣ୍ଟା ଶରୀରରେ ,
କ'ଣ ବା ହେଉଛି ଲାଭ
ଥୁଣ୍ଟା ଗଛଟିକୁ ହାଣି ଦେବ
କଥାବାର୍ତ୍ତା ଶୁଣିଛି କାନରେ ।