ଥରେ ବି ପଚାରନା
ଥରେ ବି ପଚାରନା
କବିତା - ଥରେ ବି ପଚାରନା
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୦୭-୨୦୨୬
++++++++++++++++
ମୋତେ ଆଉ ଥରେ ବି ପଚାରନା
ସେ ଛାତିଫଟା କଥାରେ ସପ୍ତଫେଣୀ ନଥା
ସେ ମୁଣ୍ଡଥରା ବ୍ୟଥାରେ ଅମୃତାଞ୍ଜନ ଶସ୍ତା
ଭୂଲି ସାରିଲିଣି କେଉଁ କାଳୁ ଅକାଳୁ ସକାଳୁ
ଆଷାଢ଼ ବର୍ଷାରେ ସେ ରାସ୍ତା ଅଳିଆ ଅସନା
ମୋତେ ଆଉ ଥରେ ବି ପଚାଇନା .....
ମୋତେ ଆଉ ଜମା ବି ପଚାରନା
ସେ ଅତୀତ ରକ୍ତରେ ଟକ୍ ଟକ୍ ଫୁଟୁଥିବା ଖରାବେଳ
ସେ ଶୁଖିଲା ଡାଳରେ ଦୁଇ ଚଢ଼େଇଙ୍କ କିଚିରି ମିଚିରି କୋଳାହଳ
ସେ ଅସରାଏ ବର୍ଷାରେ ପାହାଡ଼ର ଛାତି ଚିରି
ଝର ଝର ପ୍ରେମ ପ୍ରବାଳ
ସେ ଝଡି ବରଷା ସାଙ୍ଗରେ ଇନ୍ଦ୍ରଧନୁର ଖିଲି ଖିଲି
ଆକାଶ ଭର୍ତ୍ତି ବାସନା
ମୋତେ ଆଉ ଥରେ ବି ପଚାରନା.....
ମୋତେ ଆଉ କେବେ ବି ପଚାରନା
ସେ ଭଲ ପାଇବାର ସବୁ ଭାଷାର ଉତ୍ପତ୍ତି
ସେ ମନ ଦେବା ନେବାର କମନୀୟ ବ୍ୟୁପତ୍ତି
ସେ ପ୍ରୀତି ପଲ୍ଲବିତ ମୁଖରିତ ସ୍ନେହର ସମ୍ପତ୍ତି
ସେ ବିରହ ବିଚ୍ଛେଦ ଜ୍ବାଳାର କଷ୍ଟକର ପ୍ରବୃତ୍ତିଯାଚନା
ମୋତେ ଆଉ ଥରେ ବି ପଚାରନା ......
ମୋତେ ଆଉ ଲାଜରେ ବି ପଚାରନା
ସେ ମାୟା ମରିଚିକା ପରେ ବି ମିରିଗର ନାଟ
ସେ ଛଳ କପଟ ପରେ ବି ଲମ୍ପଟ ପାଶାର ଭେଟ
ସେ ପେଞ୍ଚ ପ୍ରପଞ୍ଚ ପରେ ବି ସରୁ ଅର୍ଗଳି ଭରା ବାଟ
ସେ ମଉଳା ମୁଁହସଞ୍ଚ ପରେ ବି ନିର୍ଲଜ ନିମନ୍ତ୍ରଣ ଥାଟ ମାଗନା
ମୋତେ ଆଉ ଥରେ ବି ପଚାରନା......
ମୋତେ ଆଉ ପ୍ରକାରାନ୍ତରେ ବି ପଚାରନା
ସେ ପୁରୁଣା ଝଡ଼ ବର୍ଷାରେ ନିଝୁମ ରାତିର ସାଥୀ
ସେ ଖୋଲା ଝରକା ତଳେ ଚାଙ୍ଗୁଡ଼ି ଭର୍ତ୍ତି ପ୍ରୀତି
ସେ ହଳେ କାନଫୁଲ ତଳେ ଚୁମ୍ବନର ଗରମ ମସ୍ତି
ସେ ପଟେ ପାଉଁଜର ଖୋଜୁ ଖେଜୁ ଅନ୍ଧାରୀ ବିଜେ ଶାସ୍ତି ଦିଅନା
ମୋତେ ଆଉ ଥରେ ବି ପଚାରନା ......
ମୋତେ ଆଉ ଭିଡ଼ ଭାଡ଼ରେ ବି ପଚାରନା
ସେ କିଟିକିଟି ଅନ୍ଧାର ଭିତରେ ଆଲୁଅର ବିକିରଣ
ସେ ବାଢ଼ ଫାଙ୍କରେ ମୁରୁକି ହସର ଧୀର ସଂପ୍ରସାରଣ
ସେ ଫୁଲ ତୋଳା ପ୍ରହରେ ଆଖିରେ ଆଖିରେ ବାକ୍ୟ ପୃଥକୀକରଣ
ସେ ପୂଜା ପାର୍ବଣରେ କଣେଇ ଜଣେଇ ଭଣେଇ ପ୍ରେମ ବିସ୍ଫୁରଣ ପାଳନା
ମୋତେ ଆଉ ଥରେ ବି ପଚାରନା ....
ମୋତେ ଆଉ ପରୋକ୍ଷରେ ବି ପଚାରନା
ସେ ବାଳୁତ ବେଳର ବାଲିଘର ସ୍ବପ୍ନ ମହଲ ହେଲା କି ?
ସେ ସ୍କୁଲ ବେଳର ଭଲ ପାଇବାର ସଫଳ ପରୀକ୍ଷଣ ହେଲା କି ?
ସେ ବେଳର ରାତ୍ରୀ ଉଜାଗର ଶାନ୍ତି
ସରୋବର
ଖୋଳେଇ ଖୋଦେଇଲା କି ?
ସେ ବେଳର ପ୍ରେମ ପ୍ରତିଜ୍ଞା ଆଉଜଣେ
ଦଶରଥ ମାଝୀକୁ ଜନ୍ମ ଦେଲା କି କୁହନା ?
ମୋତେ ଆଉ ଥରେ ବି ପଚାରନା ?
