ଓଳଚାଗଡ଼ିଆ ବର୍ଷା
ଓଳଚାଗଡ଼ିଆ ବର୍ଷା
କବିତା - ଓଳଚାଗଡ଼ିଆ ବର୍ଷା
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୦୭-୨୦୨୬
+++++++++++++++++
ଆଷାଢ଼ ମାସରେ
ହେଲେ
ଓଳଚାଗଡ଼ିଆ ବର୍ଷା
ମୋତେ ଲାଗେ
ଶୁଷ୍କ ଧରଣୀର ଆଖିରେ
ଆଶାର କିରଣ ଦିଶେ ଫାର୍ଚା ଫାର୍ଚା
ଗାଁର ଧୂଳୀ ଧୂସରୀତ ମାଟି ସଡକ
ଭୂରୁ ଭୂରୁ ଗନ୍ଧରେ ପାଏ ନୂଆ ପରିଚୟ
ସବୁରି ମୁଁହରେ କବିତାରେ ଗଳ୍ପରେ
ପାଇଥାଏ
ଏମିତି ସେମିତି ଗୁରୁଗମ୍ଭୀର ଚର୍ଚ୍ଚା
ତରୁ ତୃଣର ଶୁଖିଲା ଶାଖାରେ
ପୁଣି
ସବୁଜ ଯୌବନ
କେଦାର କାନନେ କୃଷକ ମନରେ
ନବୀନ ସପନ
ଝପା ଝପା ବର୍ଷା ସହିତ ବରଷି ଯାଏ
ସମ୍ଭାବନାର ଅଙ୍କୁର ଉନ୍ମେଷ
ପୋଖରୀ ହୁଏ ପୂର୍ଣ୍ଣଗର୍ଭା
ନଦୀ ନାଳ ଗୋହିରୀ
ଗୁଣୁ ଗୁଣୁ ଗାଇ ଉଠେ ଋତୁପ୍ରଭା
ଛାତ ଛପର ଉପରେ ରିମ୍ ଝିମ୍ ବର୍ଷା
ଟୁପୁର୍ ଟାପୁର୍ ଗୀତ ଗାଏ
ବିଦ୍ୟାଳୟରୁ ଫେରୁଥିବା ଚାଟ ମାନେ
କାଗଜ ଡଙ୍ଗା ଭସେଇ ଡେଉଁ ଥାଏ
ଗାଁର ପ୍ରଥମ ବର୍ଷା ବାଦଲ ମୌସମୀ
କେବଳ ଭିଜାଏ ନାହିଁ
ଭଙ୍ଗାରୁଜା ମନରେ ପୁଣି କରାଏ ଶକ୍ତି ସଂରଚନା
ପୁଣି ଜୀବନୀ ଶକ୍ତିରେ ଯୋଗାଏ ପ୍ରେରଣା
ପୁଣି ସବୁଜ ଶ୍ୟାମଳ ସୁନ୍ଦର ସୃଷ୍ଟିର ସମ୍ଭାବନା
