ଗୁଣ୍ଡାଏ ଭାତ
ଗୁଣ୍ଡାଏ ଭାତ
କବିତା - ଗୁଣ୍ଡାଏ ଭାତ
ରଚନା - ପଞ୍ଚାନନ ଜେନା
ତାରିଖ -୦୬-୦୭-୨୦୨୬
+++++++++++++++++
ଗୁଣ୍ଡାଏ ଭାତରେ ଲୁଚିଥାଏ
ଚାଷୀ କପାଳର ଝାଳ
ମଟାଳ ମାର୍ଟିର ଧୌଯ୍ୟ ବଳ
ଆଉ ଅନନ୍ତ ଆକାଶର ପ୍ରାର୍ଥନା ଶୈଳ
ମୁଠାଏ ଭାତ ତବତ
ଆମ ଥାଳିକୁ ଆସିବା ପୂର୍ବରୁ
ଆମ ପାଟିକୁ ଯିବା ପୂର୍ବରୁ
ଅତିକ୍ରମ କରିଥାଏ ଅନେକ ହାତ
ଯେମିତି--
ଧାନ ବୁଣୁଥିବା ବୈଶାଖ ହାତ
ଧାନ କାଟୁଥିବା ଶରତ ହାତ
ଧାନ ବୋହୁଥିବା ହେମନ୍ତ ହାତ
ଧାନ ସିଝୁଥିବା ପେଷୁଥିବା ହାତ
ଚାଉଳ ପାଛୁଡୁଥିବା ମଇଳା ହାତ
ରୋଷେଇ କରୁଥିବା କଥଁଳ ହାତ
ବୋଧହୁଏ ହାତରୁ ହାତ ହେଉ ହେଉ
ଧାନଟା ଚାଉଳ ହେଉ ହେଉ
ପହଁଚି ଯାଏ ମୁଁହ ପାଖରେ ହୋଇଣ ଗରମ ଭାତ
ଭୋକର କୌଣସି ସଜ୍ଞା ନାହିଁ କି ସର୍ବନାମ ନାହିଁ
ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ବି ମାନେନାହିଁ
ଭୋକ ସମସ୍ତଙ୍କୁ ଲାଗେ ହାଇଁ ପାଇଁ
ଲାଗିଲେ ଅସମ୍ଭାଳ
ନ ଲାଗିଲେ ବି ଜାଣ ପଡିଲା କାଳ
କେବଳ ଗୋଟିଏ ଭାଷା ଭୋକର
ଗିନାଏ ଭାତର ବିକଳ୍ପ କାହିଁ
ଅନ୍ନ ଚିନ୍ତା ଚମତ୍କାର
ମହା ମହା ପଣ୍ଡିତ ମାନେ ବି
ପରାସ୍ତ ହୁଅନ୍ତି
ମୁଠାଏ ଭାତ ପାଇଁ ସହନ୍ତି ତିରସ୍କାର
ସେହି କଷ୍ଟଲବ୍ଧ ଚାମୁଚିଏ ଭାତକୁ
ଆମେ
ଥାଳିରେ ଛାଡି ଦେଉ ବିନା ଶୋଚନାରେ
ଡଷ୍ଟବିନରେ ପକେଇ ଦେଉ ବିନା ଅନୁଚିନ୍ତାରେ
ଦୀନ ହୀନ ଗରୀବ ଭିକାରୀ
ତାଙ୍କ ପାଇଁ ସେହି ମୁଠାଏ ଭାତ ପରା
ସ୍ବପ୍ନ ସାଗର ଗର୍ଭରେ ମୋତି ପାଇଲା ପରି
ତେଣୁ କଥାରେ କହନ୍ତି
ଗୋଟିଏ ଧାନରୁ ଗୋଟିଏ ଚାଉଳ ଯାତ
ଗୋଟିଏ ଚାଉଳରୁ ଗୋଟିଏ ଭାତ ତବତ
ପେଟ ପାଇଁ ଅନନ୍ୟ ଔଷଧ ପରା ମୁଠାଏ ଭାତ
ତେଣୁ ସେହି ମର୍ମରେ
ଗୁଣ୍ଡାଏ ଭାତ କଥା ଛାଡ଼
ଗୋଟାଏ ଭାତ ବି ନଷ୍ଟ ହେବାକୁ ଦେବାନି
ଥାଳି କଡ଼ରେ ପକେଇବାକୁ ଦେବାନି
ଥାଳିରେ ଛାଡିବାକୁ କେବେବି ଦେବାନି
ଦରକାର ମୁତାବକ ନେବା
ବଳକା ଅଧିକା ଖାଇବା ପୂର୍ବରୁ କାଢି ଦେବା
ଲୋଭ କୁ କାବୁରେ ରଖିବା
କାରଣ
ଭାତରେ ପରା ଲେଖା ଅଛି
ବଞ୍ଚିବାର ସରଳ ତରଳ ସାବଲୀଳ ସାଧନା
ଭୋକକୁ ସନ୍ତୁଷ୍ଟ କରିବାର ପବିତ୍ରତମ ଆରାଧନା
