ଥକି ପଡିଲୁ କି ସଖି
ଥକି ପଡିଲୁ କି ସଖି
ଥକି ପଡ଼ିଲୁ କି ସଖି!
ଫେରନ୍ତା ପଥକୁ ଚାହିଁ ଚାହିଁ ମୋର
ନୟନୁଁ ଲୋତକ ତୋ ଗଲାକି ଶୁଖି ?
ଚମ୍ପାଫୁଲ ପରି ଝଟକୁ ଥାଏ
ତୋହର ଲାବଣ୍ୟ କାନ୍ତି
ମତ୍ତ ଗଜ ଚାଲି ଜିଣି ପରାଏ
ନେଇଛ ଅଳସ ଗତି
ଠାଣି ବାଣୀ ହାସ ଝୀନ ବସନ
ସୁରମ୍ୟ ଭୂଷଣ ପ୍ରୀତି
ରସ ରଂଗ ସାଥୀ ରତି ବିଭୋରା
ଯେତେକ ନବ ଯୁବତୀ
ପାଶେ ପାଶେ ଥାଇ ବିରସ କାହିଁକି
କହ ମୋ ସଖି! ଚନ୍ଦ୍ରମାମୁଖୀ ?
ଜାଣି ନାହୁଁ ତୁହି ଯଉବନର
ରହିଛି କେମନ୍ତ ଗତି
ଥରୁଟିଏ ଆସି ଚାଲିଯାଏ ହସି
ଆଉ ନ ଫେରଇ କତି
ଭାଙ୍ଗିଲା ହାଣ୍ଡିକୁ କି ଫଟା କାଚକୁ
ଯୋଡି ହୁଅଇ କି କାହିଁ
ଫୁଟିଲା ଫୁଲ ଆଉ ଥରେ ଫୁଟେ
ଦେଖିଛୁ କି ପ୍ରାଣସହୀ
ମରମ କଥାଟି ମରମରେ ରଖି
ହେ ମୋ ସଖି !ବ୍ୟଥା କାହିଁକି ।