STORYMIRROR

ବିନୟ ମହାପାତ୍ର

Abstract Tragedy Classics

4  

ବିନୟ ମହାପାତ୍ର

Abstract Tragedy Classics

ସୂର୍ଯ୍ୟାସ୍ତ ପୂର୍ବରୁ

ସୂର୍ଯ୍ୟାସ୍ତ ପୂର୍ବରୁ

1 min
23.7K


ଯେତେ ବେଳେ;

ସବୁ ବନ୍ଧନ ଶିଥିଳ ହୋଇଆସେ,

ତୁମରି ଦେହର ମହକ,

ତୁମରି ରୂପର ଆକର୍ଷଣ,

ସେ ସବୁର କିଛି ମାନେ ନଥାଏ ।

ସେତେବେଳେ;

ତୁମେ ମୋର ଆହୁରି ଅନ୍ତରଙ୍ଗ ହୋଇଯାଅ,

ଏବଂ ତୁମ ବିନା, ଦିନ ସବୁ ଯୁଗପରି ଲାଗେ,

ତୁମ ବିନା ଜୀବନର ମାନେ,

ସତେ କିଛି'ବି ନଥାଏ ।

ଯେତେ ବେଳେ;

ଝିଅମାନେ ଶାଶୁଘରେ, ପୁଅମାନେ ବିଦେଶରେ,

ନିଜ ନିଜ ପରିବାର, ନିଜ ଜଞ୍ଜାଳରେ ବ୍ୟସ୍ଥ,

ଏବଂ ନାତି ନାତୁଣୀ ମାନେ,

କେବେ କେମିତି ଆସନ୍ତି,

ବୁଢା ବାପା ମାଆ କେମିତି ଅଛନ୍ତି

ସେ କଥା କେବେ କଣ

ପୁଅ ବୋହୁ, ଝିଅ ଜୋଇଁ ମନରେ ଭାବନ୍ତି ?

ସେତେ ବେଳେ;

ତୁମେ ମୋର ଆଶାବାଡି

ଗପିବାକୁ ଏକ ମାତ୍ର ସାଥୀ,

ହଜିଗଲା, ଭିଜିଗଲା ଦିନସବୁ

ବେଶି ବେଶି ମନେପଡେ,

ପୁରୁଣା ଆଲବମ, ଗୀତା ଭାଗବତ ପରି

ସବୁ ଦିନ ବାରମ୍ବାର ଖେଳାହୁଏ,

ମୁକ୍ତା ଖୋଜୁ ଖୋଜୁ,

କେବେ କେବେ ସାମୁକା ବି ମିଳେ ।

ଯେତେ ବେଳେ;

ଦେହର ଆକର୍ଷଣ ନଥାଏ

ରୂପର ମାଧୁର୍ଯ୍ୟ ନଥାଏ,

ସମ୍ଭୋଗର ଲାଳସା ନଥାଏ,

କିଛି ପାଇବାକୁ, କିଛି ଦେଇ ଦେବାକୁ

ଜମାରୁ ଆଗ୍ରହ ହୁଏନା,

ପ୍ରେମ କେବଳ ଦେହର ନଥାଏ

ଆତ୍ମାର ପ୍ରଣୟ ବନ୍ଧନ, କେବବି ଶିଥିଳ ହୁଏନା ।

ସେତେ ବେଳେ;

କେଜାଣି, କେମିତି କେଉଁ ଏକ ଆକର୍ଷଣ

ତୁମ ସାଥେ ମୋତେ, ମୋ ସାଥେ ତୁମକୁ

ଗୋଟିଏ ସୁତାରେ ବାନ୍ଧିଛି,

ଏ ବନ୍ଧନ କେତେ ନିବିଡ ସତେ

ବିନା କିଛି ଆଶାର ଏ ଡୋରି

ତୁମ ସାଥେ ମୋତେ ଜାବୁଡି ଧରିଛି ।

ତୁମ ବିନା ଜୀବନର କଳ୍ପନା ହୁଏନି,

ସାହାଯ୍ୟର ଦରକାର ନଥିଲେ ବି,

ବାକିଥିବା ଜୀବନ,

ତୁମ ବିନା ବଞ୍ଚିବା ସମ୍ଭବ ହୁଏନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract