ସୂର୍ଯ୍ୟ ସଂଧାନ
ସୂର୍ଯ୍ୟ ସଂଧାନ
ଯଦି କେଵେ ଆସ ତୁମେ
ଅଚାନକ
ଦେଖିବ
ଏହି ଅସୂର୍ଯ୍ୟ ଉପନିବେଶରେ
କେତେ ସୂର୍ଯ୍ୟ ବଳିପଡିଛନ୍ତି ଏଠି
ଚେନାଏ ଆଲୁଅ ପାଇଁ
ସ୍ମୃତି ସବୁ ଚେନା ଚେନା ଆଲୁଅ ଦେହରେ
ଗୁନ୍ଥି ହୋଇ କେତେବେଳୁ ବିଷ ପାଲଟିଛି
ତୁମେ କେମିତି ବା ବୁଝିବ
ସବୁ ସୂର୍ଯ୍ୟ ଆଜି ନୀଳକଣ୍ଠ ସାଜି
ସଢୁଛନ୍ତି ଅମା ଅନ୍ଧାରର କାରାଗାରେ
ଆଉ ଯଦି କେଵେ
ରମଣୀୟ ଅପରାହ୍ନ ରେ ଆସ ତୁମେ
ଦୂରେ ବହୁଦୂରେ କେହି ଜଣେ
ହାତ ଠାରି ଡାକୁଥାଏ
ସେ କାଳେ ସୂର୍ଯ୍ୟ ତ ନୁହେଁ
ଯଦିଓ ତୁମେ ସୂର୍ଯ୍ୟ
ତୁର୍ଯ୍ୟ ନାଦରେ ଘନଘୋର
ଅନ୍ଧାର କୁ ଠେଲିଦେଇ ଆସ
ଆମେ ଏଠି ବସିଛୁ
ଆଲୁଅ ପ୍ରତୀକ୍ଷା ରେ
ଅନେକ ସୂର୍ଯ୍ୟ ର ମୃତ୍ୟୁ ପରେ
