ସୂର୍ପଣଖାର ପ୍ରତିଶୋଧ
ସୂର୍ପଣଖାର ପ୍ରତିଶୋଧ
ଲଙ୍କା ରାଇଜର ଏକଇ ନନ୍ଦିନୀ
ନାମ ତାର ସୂର୍ପଣଖା
ବିଦ୍ୟୁତଜିହ୍ଵ ଦୈତ୍ୟରାଜକୁ ବରିଣ
କରିଥିଲା ହୃଦ ସଖା ।
ଦିଗବିଜୟ ଆଶେ ଲଙ୍କାର ରାବଣ
ବାହାରିଲା ଯୁଦ୍ଧ କରି
ସୈନ୍ୟ ସାମନ୍ତଙ୍କୁ ସାଙ୍ଗରେ ଧରିଣ
ବୀର ଦର୍ପେ ଲଙ୍କ ଶିରି ।
କାଳକେୟ ମଧ୍ୟେ ଅଶ୍ୱ ନଗରରେ
ରାବଣ ରଚିଲା ଯୁଦ୍ଧ
ମୁହୂର୍ତ୍ତ ମଧ୍ୟରେ ଚାରି ଶହ ସୈନ୍ୟ
କରି ପକାଇଲା ବଧ ।
ସେ ସୈନ୍ୟ ମଧ୍ୟରେ ବିଦ୍ୟୁତଜିହ୍ଵ ବୀର
ଅଜାଣତେ ହେଲା ହତ
ରାବଣ ଜାଣିଲା ଭଉଣୀର ଆଜି
ଦୁଃଖ ହେଲା ଦ୍ବିଗୁଣିତ ।
ଦିଗବିଜୟ ସାରି ଫେରି ଲଙ୍କେଶ୍ୱର
ଯାହା ଦେଖିଲା ନୟନେ
ଭଗ୍ନୀ ସୂର୍ପଣଖା ଭୂମିପରେ ଲୋଟି
ବିହ୍ଵଳିତ ସେ କ୍ରନ୍ଦନେ ।
ଦେଖିଣ ରାବଣ ପ୍ରବୋଧି କହିଲା
ଶୁଣ ମୋ ସୁନା ଭଉଣୀ
ଯୁଦ୍ଧରେ ପ୍ରମତ୍ତ ହୋଇ ମଦମତ୍ତ
ନ ପାରିଲି କିଛି ଜାଣି ।
ଆଶ୍ୱାସନା ଦେଇ କହେ ଲଙ୍କସାଇଁ
କ୍ଷମା କରିଦେବୁ ମୋତେ
ଅଧିକୁ ଅଧିକ ଯତ୍ନର ସହିତ
ସୁଖରେ ରଖିବି ତତେ ।
ଖର ଦୁଷଣ ଓ ତ୍ରିଶୀର ସହିତ
ଚଉଦ ସହସ୍ର ସୈନ୍ୟ
ସେନାଧ୍ୟକ୍ଷ ହୋଇ ରହିବୁ ଭଉଣୀ
ମଧୁ ପଞ୍ଚବଟୀ ବନ ।
ସେଦିନୁ ଅସୁରୀ ଦଣ୍ଡକା ଅରଣ୍ୟେ
ନିଜେ ଅଧିଷ୍ଠାତ୍ରୀ ହେଲା
ଭାଇ ରାବଣକୁ ପ୍ରଥମ ସ୍ଥାନୀୟ
ଶତ୍ରୁ ଭାବରେ ମଣିଲା ।
ସ୍ୱାମୀ ଇହ ପର କାଳର ଦେବତା
ସ୍ୱାମୀ ବିନେ କିଛି ନାହିଁ
ଅନ୍ତରେ ଅନ୍ତରେ ପ୍ରତିହିଂଶାନଳେ
ପ୍ରଜ୍ବଳିତ ହୁଏ ତହିଁ ।
କୂଟ ଓ କପଟ ମନ୍ତ୍ରଣା କରିଲା
କୁତ୍ସିତ ମନ୍ଥରା ନାରୀ
ବନବାସ ଅର୍ଥେ ଶ୍ରୀରାମ ଲକ୍ଷ୍ମଣ
ସିତୟା ଗଲେ ବାହାରି ।
କିଛି କାଳ ଅନ୍ତେ ଶ୍ରୀରାମ ଲକ୍ଷ୍ମଣ
ଜନକ ନନ୍ଦିନୀ ସୀତା
ପିତୃ ସତ୍ୟ ପାଳି ଦଣ୍ଡକାରଣ୍ୟରେ
ଆସି ହେଲେ ସେ ସ୍ଥପିତା ।
ସୂର୍ପଣଖା ଜଳେ ପ୍ରତିହିଂଶାନଳେ
ଦଣ୍ଡକାରଣ୍ୟରେ ଥାଇ
ରାମ ଲକ୍ଷ୍ମଣଙ୍କ ବଳ ପରାକ୍ରମ
ମନେ ମନେ ନିରେଖଇ ।
ଭାବିଲା ସେମନେ ଯେମନ୍ତ ପ୍ରକାରେ
ରାବଣ ହେଉ ନିହତ
ସୁନ୍ଦରୀ ତରୁଣୀ ବେଶରେ ଅସୁରୀ
ରାମ ଆଗେ ଉପସ୍ଥିତ ।
କାମାର୍ତ୍ତ ଅନଳେ ଅଭିନୟ କରି
ରାମ ଆଗେ ତାମ୍ରକେଶୀ
ପ୍ରେମ ନିବେଦନ ରଖିଲା ପୟରେ
ଧିକ୍କାରିଲେ ରଘୁବଂଶୀ ।
ମୁହିଁ ସପତ୍ନୀକ କହିଣ ଶ୍ରୀରାମ
ପ୍ରେରିଲେ ଲକ୍ଷ୍ମଣ ପାସ
ଧିକ୍କାରି କହନ୍ତି ସେ,ଯେ ଉଗ୍ରମୂର୍ତ୍ତି
ମୁହିଁ ଶ୍ରୀରାମଙ୍କ ଦାସ ।
ଦାସର ଭାରିଜା ନହୋଇ ସୁନ୍ଦରୀ
ପ୍ରଭୁଙ୍କ ପୟରେ ଭଜ
ଲକ୍ଷ୍ମଣଙ୍କ ବ୍ୟଙ୍ଗ ବାକ୍ୟରେ ଅସୁରୀ
ଶ୍ରୀରାମ ଆଗରେ ସଜ ।
ବୃଦ୍ଧା ମାନୁଷି କୁ ଛାଡ଼ିଣ ଶ୍ରୀରାମ
ମୋତେ କର ହୋ ବରଣ
ଏମନ୍ତ କହିକି ଜନକ ସୁତାଙ୍କୁ
କରିବାକୁ ସେ ଭକ୍ଷଣ ।
ଉଦ୍ୟତ ହୁଅନ୍ତେ ରାମଙ୍କ ଆଦେଶେ
ଉଠିଲେ ରାମର ସାନ
ବିରୂପ କରିକି ସେ ସୂର୍ପଣଖା କୁ
କାଟିଦେଲେ ନାଶାକର୍ଣ୍ଣ ।
ଭାଇ ଭାଇ ବୋଲି ଅସୁରୀ ଚଲିଲା
ଖର ଦୁଷଣ ଙ୍କ ପାସ
ତ୍ରିଶୀର ସହିତେ ଚଉଦ ସହସ୍ର
ସୈନ୍ୟଙ୍କୁ କରିଲେ ନାଶ ।
ରାବଣକୁ ଯାଇ ସମସ୍ତ ବୃତ୍ତାନ୍ତ
କାନ୍ଦି କହେ ସୂର୍ପଣଖା
ଦଣ୍ଡକା ଅରଣ୍ୟେ ଜଟାଧାରୀ ବେନି
ହୋଇଗଲେ ଆଜି ଦେଖା ।
ସଙ୍ଗତେ ସୁନ୍ଦରୀ ତରୁଣୀ ମଣି ଏ
ଲକ୍ଷେ ବ୍ରହ୍ମାଣ୍ଡର ଜ୍ୟୋତି
କୋଟିଏ ବ୍ରହ୍ମା କି ସମର୍ଥ ହୋଇବେ
ଗଢିବାକୁ ସେଇ ମୂର୍ତ୍ତି ।
ତାକୁ ଆଣି ତୋତେ ଦେବି ବୋଲି ଗଲି
କାଟିଲେ ମୋ ନାଶା କର୍ଣ୍ଣ
ଖର ଦୁଷଣ ଓ ତ୍ରିଶୀର ମାରିଲେ
ଦେଖାଇ ବୀରତ୍ୱ ପଣ ।
କ୍ରୋଦ୍ଧଭର ହୋଇ ଗର୍ଜିଲା ରାବଣ
କିଏ ସେ ରାମ ଲକ୍ଷ୍ମଣ
ତୁରନ୍ତ ଯିବି ମୁଁ ସୀତା ଆଣିବାକୁ
କରୁଅଛି ଏହି ପଣ ।
ରାଇଲା ମାରିଚ ଶୀଘ୍ର ଘେନ ତୁହି
ହେମ ହରିଣୀ ର ବେଶ
ଅସୁରୀ ପ୍ରବୀଣା ଜାଣିଲା ଅନ୍ତରେ
ହୋଇବୁ ଅବଶ୍ୟ ନାଶ ।
