ସୁନ୍ଦର
ସୁନ୍ଦର
ଦେହଟି ଭିତରେ ମୁହଁଟି ସୁନ୍ଦର
ମୁହଁଟି ଭିତରେ ଆଖି
ସେଇ ଆଖି ପାଇଁ ସୁନ୍ଦର ଦୁନିଆ
ଆମେ ତ ପାରୁଛେ ଦେଖି ।
ଦେଖୁଛେ ପୃଥିବୀ ଜଳ, ସ୍ଥଳ, ବନ
ଆକାଶ ନୀଳ ସାଗର
ନୀଳ ସାଗରର ନୀଳ ଢେଉ ପରେ
ବେଳାଭୂମି ମନୋହର ।
ସେଇ ବେଳାଭୂମି ସୁନ୍ଦର ଦିଶଇ
ଏଇ ମାଟି ମାଆ ନେଇ
ଏଇ ତ ମାଟିରୁ ମାଟି ଯାଦୁଗର
କେତେ ମୂର୍ତ୍ତି ଗଢି ଥାଇ ।
କି ସୁନ୍ଦର ହାଣ୍ଡି ମାଠିଆ ଗଢଇ
ଚିତ୍ର ବିଚିତ୍ର ସେ କରି
ଦେଖି ଦେଲେ ଆଖି ଯାଇ ଥାଏ ଲାଖି
ସହଜେ ପାରେନା ଫେରି ।
ସୌନ୍ଦର୍ଯ୍ଯମୟ ତ ଏଇତ ପୃଥିବୀ
ସବୁଜ ଶ୍ୟାମଳେ ଭରା
ଆକାଶ ଦେହରେ ସୂର୍ଯ୍ୟ, ଚନ୍ଦ୍ର, ତାରା
ଦିଶୁଥାଏ କେଡେ ତୋରା ।
କୋଇଲିର କୁହୁ ତାନ କି ସୁନ୍ଦର
ମନ ସିଏ ମୋହି ନିଏ
କଳାମେଘ ଦେଖି ମୟୂରଟି ସତେ
କି ସୁନ୍ଦର ନାଚୁ ଥାଏ ।
ସୁନ୍ଦର ଚେହେରା ପାଖରେ ଆଖିଟି
ସର୍ବଦା ଅଟକି ଯାଏ
ଏଇ ସୁନ୍ଦରତା ଜୀବନର ଦୁଃଖ
ଆପେ ଭୁଲାଇଣ ଦିଏ ।
ସୁନ୍ଦର ଜିନିଷ ଶାନ୍ତିର ପ୍ରତୀକ
କ୍ରୋଧକୁ ହରଣ କରେ
ଯିଏ ଯେତେ ଅଭିମାନ କରି ଥାଉ
ତା ପାଖରେ ସିଏ ହାରେ ।
କଣ୍ଠସ୍ବର ଯଦି ହୁଅଇ ସୁନ୍ଦର
ଚିତ୍ତ ସେ ହରଣ କରେ
ସେଇ କଣ୍ଠସ୍ବରେ ବିମୋହିତ ହେଇ
ପାଦଟି ବଢେ ସଧିରେ ।
ନାରୀର ମଥାରେ ସିନ୍ଦୂର ଟୋପାଟି
ନାରୀକୁ ସୁନ୍ଦର କରେ
ଆହୁରି ସୁନ୍ଦର ବଢାଇ ଦିଏ
ଓଢଣୀ ଥିଲେ ମଥାରେ ।
ନାରୀକୁ ସୁନ୍ଦର କରିଥାଏ କେଶ
ତାର ସେ ଲଜ୍ଜା ଭୂଷଣ
ଚରିତ୍ର ସଂସ୍କାର ମୂଲ୍ୟ ତା ବଢାଏ
ହସାଏ ସବୁ ଜୀବନ ।
ସୁନ୍ଦର ଚେହେରା ଥିଲେ କି ଲାଭ
ମନଟି ଯଦି ବିକୃତ
ସବୁ ସମ୍ପର୍କକୁ ଭାଙ୍ଗି ଦିଏ ସିଏ
କରି ଦିଏ ସେ ଘୃଣିତ ।
ମନ ହୃଦୟକୁ ସୁନ୍ଦର ତ ରଖ
ସବୁ ଦିଶିବ ସୁନ୍ଦର
ହସିବ ଜଗତ ହସିବ ଜୀବନ
ହସିବ ସାରା ସଂସାର ।