ସୁନ୍ଦର ଏଇ ପୃଥିବୀ ଆମ
ସୁନ୍ଦର ଏଇ ପୃଥିବୀ ଆମ


ସୁନ୍ଦର ଏଇ ପୃଥିବୀ ଆମ
ସୁନ୍ଦର ଅଟେ ତା'ର ଏ ନାମ
ଅମୃତ ମଧୁଝରା
ସୁନ୍ଦର ତା'ର ସୁଷମା ରାଜି
ଅଭୁଲା ଅପାସୋରା ll
ମନ୍ଦ ମଳୟ ଘନ ବଳୟ
ଉତ୍ତାଳ ଜଳ ରାଶି
ନିଇତି ଏଠି ଆସଇ ଉଷା
ତାପରେ ଆସେ ନିଶି ll
ପାହାଡ଼ କୋଳେ ଟିକି ଝରଣା
ଆନନ୍ଦେ ଯାଏ ଝରି
ପାହାଡ଼ ଫାଙ୍କେ ବାଳ ସୂରୁଜ
ବଢାନ୍ତି ତା'ର ଶିରୀ ll
ନୀଳ ଆକାଶେ ଦରିଆ ପାଶେ
ବିହଙ୍ଗ ଯାଏ ଉଡି
ଦୂର ଗଗନେ ଖୁସି ମଗନେ
ଡେଣାକୁ ତା'ର ଝାଡି ll
ମେଦିନୀ ରସା ବିପୁଳା ଶ୍ୟାମା
କେତେଯେ ନାମ ତା'ର
ସୁନ୍ଦର ଏଇ ପୃଥିବୀ ଆମ
ନାହିଁ ତା' ପଟାନ୍ତର ll
ତାରକା ପୁଞ୍ଜ ବିମଳ ଶଶୀ
ପ୍ରାଣକୁ ଯାଏ ଛୁଇଁ
ବଢ଼ାନ୍ତି ଶୋଭା ବସୁମତୀର
ନୀଳ ଗଗନେ ଉଇଁ ll
ପାହାଡ଼ ବନ ଫସଲ କ୍ଷେତ
ଜନପଦରେ ଭରା
ତଟିନୀ ଘେରା ପୃଥିବୀ ଆମ
ଦିଶଇ କେଡେ ତୋରା ll
ତାହାରି କୋଳେ ଜୀବନ ଆମ
ପାଇଛି ନୂଆ ରାହା
ଏ ମାଟି ଆମର ଜନ୍ମଭୂମି
ଏ ମାଟି ଆମର ମା' ll