ସୁନା
ସୁନା
ସୁନା ଠାରୁ ବେଶୀ ମୂଲ୍ୟବାନ ଅଟେ
ଏଇ ଆମ ମାତୃଭୂମି
ନୀଳ ପାରାବାର ତାହାରି ପୟର
ସେନେହେ ଯାଉଛି ଚୁମି ।
ତାହାରି କ୍ଷେତରେ ହସି ଉଠି ଅଛି
କେତେ ଯେ ସୁନା ଫସଲ
କିଏ ବା ଗଣିକି ଦେଇ ସେ ପାରିବ
ତାର ସେ ଅମୂଲ ମୂଲ ।
ସୁନା ଠାରୁ ବଡ ସ୍ନେହର ସମ୍ପର୍କ
ଗଢି ଜାଣିଲେ ଯେ ହେଲା
ସ୍ୱାର୍ଥ ରହି ଗଲେ ସେଇ ତ ସମ୍ପର୍କ
କଉଡିଠୁ ହୀନ ହେଲା ।
ସୁନା ଠାରୁ ଗଛ ଅତି ମୂଲ୍ୟବାନ
ସିଏ ବଡ ଉପକାରୀ
ବୃକ୍ଷକୁ ସୁନାରେ ତଉଲିବ ଯେବେ
ତରୁ ହେଇଯିବ ଭାରି ।
ସନ୍ତାନଙ୍କୁ ପିତା ମାତା ଶରଧାରେ
ସୁନା ବୋଲି ଡାକି ଥାନ୍ତି
ସୁନାଠାରୁ ତାଙ୍କୁ ଅମୂଲ୍ୟ ସମ୍ପଦ
ଭାବରେ ସେ ମଣି ଥାନ୍ତି ।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜିନିଷ
ସୁନାଠୁ ହେଲାଣି ବେଶୀ
କେମିତି ବଞ୍ଚିବେ ଭାଳି ହେଉଛନ୍ତି
ମନ ଦୁଃଖେ ସବୁ ବସି ।
ବିବାହ ସମୟରେ ସୁନାର ମୂଲ୍ୟ ଯେ
ସର୍ବାଧିକ ହେଇଯାଏ
ଯାନି ଯଉତୁକ ସହିତରେ ଚେନ୍
ମୁଦି ଆଗ ଥୁଆ ହୁଏ ।
ସଧବା ନାରୀର ବେକରେ ଯେ ରହେ
ସ୍ୱାମୀର ମଙ୍ଗଳସୂତ୍ର
ଯେତେ ଟଙ୍କା ସିଏ ହେଇଥାଉ ପଛେ
ହୁଏ ସୁନାରେ ନିର୍ମିତ ।
ନାରୀର ମଥାର ସିନ୍ଦୂରର ଗାର
ସୁନାଠୁ ଊଧିକ ହୁଏ
ତାହା ପାଇଁ ନାରୀ ଅହ୍ୟରାଣୀ ହେଇ
ଜୀବନ ବିତାଏ ଥାଏ ।
ପଞ୍ଜାବ ଦେଶର ଅମୃତ ସରରେ
ରହିଛି ସ୍ୱର୍ଣ୍ଣ ମନ୍ଦିର
ମନ୍ଦିରରେ ବେଶୀ ସୁନା ଥାଏ ବୋଲି
ଆକ୍ରମଣ ବାରମ୍ବାର ।
ଘୋର ରାଜ୍ୟର ମହମ୍ମଦ ଘୋରୀ
ଲୁଣ୍ଠନ କରିଣ ଥିଲେ
ଦଶ ବରଷରେ ସତର ଥର ସେ
ଭାରତରୁ ଲୁଟି ନେଲେ ।
ଶେଷେ ସୋମନାଥ ମନ୍ଦିର ଲୁଣ୍ଠିଲେ
ଲେଖା ଅଛି ଇତିହାସ
ମୟୂର ସିଂହାସନ ନେଇ ଯାଇଥିଲେ
ନାଦିର ଶାହା ପାରସ୍ୟ ।
ସୁନା ଥିଲେ ଥାଏ ଚୋରଙ୍କର ଭୟ
ଲୁଟି ନେଇଥାନ୍ତି ସିଏ
ଏଇ ସୁନାରେ ଯେ କଳିର ପ୍ରବେଶ
ସହଜରେ ହେଇ ଥାଏ ।
କ୍ଷେତ ଚାଷ ବେଳେ ସୁନାର କଳସ
ପାଇଥିଲା ଭାଗୁଆରୀ
ଜମି ମାଲିକକୁ ଦେଇଥିଲା ନେଇ
କହିଣ ତାକୁ ତିଆରି ।
ଦୁଇଜଣ ତାକୁ କଲେନି ଗ୍ରହଣ
ଚାଲିଲା ତାଙ୍କ ବିଚାର
ନେଇ ପାପ କାହିଁ ଅର୍ଜନ କରିବେ
ବିସ୍ମିତ ଯେ ଯୁଧିଷ୍ଠିର ।
ଅଚାନକ ସୁନା କଳସର ପାଇଁ
ଝଗଡା ଆରମ୍ଭ କଲେ
କଳିଯୁଗ ଏବେ ପ୍ରବେଶ ହୋଇଲା
ଯୁଧିଷ୍ଠିର ବୁଝି ନେଲେ ।
ସୁନା ଦେହେ କଳି ପ୍ରବେଶ ହୋଇବ
ବିଧାତାଙ୍କୁ ଯେ ମାଗିଲା
ସୁନା ମୁକୁଟରେ ପ୍ରବେଶ କରିଣ
କଳି ରାଜୁତି କରିଲା ।
ଅଶ୍ୱମେଧ ଯଜ୍ଞ କରିବାର ପାଇଁ
କଉଶଲ୍ଯାଙ୍କର ସୁତ
ସୀତାଙ୍କର ପ୍ରତିମୂର୍ତ୍ତି ସୁବର୍ଣ୍ଣରେ
କରିଥିଲେ ସେ ନିର୍ମିତ ।
ସୁନାର ମହିମା ବର୍ଣ୍ଣନା କରିଲେ
କେବେ ତାହା ସରିବନି
ଏଇ ସୁନା ଅଟେ ଅମୂଲ୍ୟ ସମ୍ପଦ
ତାକୁ ତ ଭୁଲି ହୁଏନି ।
