ସୁନା ଝିଅ ଥିଲି ହେଲି ସୁନାବୋହୁ
ସୁନା ଝିଅ ଥିଲି ହେଲି ସୁନାବୋହୁ
ଥିଲି ବଡ ଗେହ୍ଲୀ ସ୍ନେହେ ବଢ଼ିଥିଲି
ପ୍ରଜାପତି ପରି ବୁଲୁ ମୁଁ ଥିଲି,
ହସି ଖିଲି ଖିଲି କରି ସାଙ୍ଗ ମେଳି
କାଟୁ ଥିଲି ଦିନ ଧୂଳି ମୁଁ ଖେଳି ।
ପ୍ରଥମେ ଆଣ୍ଠେଇ ଟିକି ପାଦ ମେଲି
ଚାଲୁ ଚାଲୁ କେତେ ପଡ଼ି ଉଠିଲି,
ବୋଉଲୋ ତୁ ମୋର ପାଖେ ପାଖେ ରହି
ଯାହା କହୁଥିଲୁ ତାକୁ ପାଳିଲି ।
କେତେ ଓଷା ବ୍ରତ ଉପାସନା କରି
ଜନମ ତୁ ଦେଲୁ ହୋଇଲୁ ଖୁସୀ,
ବାପା ମଧ୍ୟ ମହା ଆନନ୍ଦ ପ୍ରକାଶି
ହସି ଦିଅନ୍ତି ସେ ମୁଣ୍ଡ ଆଉଁସି ।
ଛୋଟ ବେଳୁ ନୀତି ଆଦରଶ କଥା
ପରମ୍ପରା ହରି ଗୁରୁ ଭକତି,
ଗୀତା ରାମାୟଣ ଭାଗବତ ବେଦ
ବେଦାଙ୍ଗ କଥାକୁ ଜଣାଉ ନିତି ।
ତୋର ପିତା ତୋତେ ଯେତେ ଗଢିଥିଲେ
ତାଠାରୁ ଅଧିକ ମୋତେ ଗଢ଼ିଲୁ,
ଅଜାଙ୍କ ପ୍ରଭାବୁ ଆଦର୍ଶ ବିଭବ
ଘରେ ଆମ ଭରି ପରସୁ ଥିଲୁ ।
ପାଠ ପଢ଼ାଇଲୁ ବାଟ ବତାଇଲୁ
ଶ୍ରେଷ୍ଠ କରାଇଲୁ ଘରେ ବାହାରେ,
ତୋର ଆଦରଶ ପୀୟୂଷକୁ ପିଇ
ଆଗେଇ ଚାଲିଲି ଯଶ ପଥରେ l
ସଂଠଣା ଓ ଘର କରଣା ଶିଖାଇ
କହିଲୁ ଘୋରଣା ଅଟେ ଜୀବନ,
ଯେତେ ଘୋରୀ ହେବ ଭଲ ପରସିବ
ଯେଣୁ ଘର୍ଷଣଟି ଗୁଣ ବର୍ଦ୍ଧନ ।
ସକାଳୁ ଉଠାଇ କରମ କରାଇ
ଧରମ ପଥରେ ଚଳାଉଥିଲୁ,
ନରମ ବଚନ ସଫଳ ସୋପାନ
ଭୁଳିବୁନି ବୋଲି ବୁଝାଉଥିଲୁ।
ତୋର ଆଦରଶ ବଳରୁ ବୋଉଲୋ
ସଫଳ ଜୀବନ ଯାପୁଛି ଏବେ,
ଶାଶୁ ଘର ମୋର ମନ୍ଦିର କରିଛି
ମୋ ପାଇଁ ଗରବ କରନ୍ତି ସର୍ବେ ।
ବାପା କରୁଥିଲେ ରୁଦ୍ର ଅଭିଷେକ
ପାର୍ବତୀ ତୁଳସୀ ତୁ ପୂଜୁ ଥିଲୁ,
ଉପାସନା କେବେ ନିଷ୍ଫଳ ଯାଏନି
ଏକଥା ପ୍ରମାଣ କରାଇ ଦେଲୁ ।
ବାପାଙ୍କର ଦୃଷ୍ଟି ରୂପକ ଆଶିଷ
ସତ୍ୟପଥଗାମୀ କରାଇ ଥିଲା
ତୋର ଅନାବିଳ ତ୍ୟାଗ କାରଣରୁ
ସୁନା ଝିଅ ସୃଷ୍ଟି ସମ୍ଭବ ହେଲା।
ଜନମ ବେଦୀରୁ କରମ ବେଦୀକୁ
ଆସି ଧରି ନାରୀ ଧରମ ପଥ,
ବଇକୁଣ୍ଠ ପରି କରିଛି ବୋଉଲୋ
ଝିଅ ବୋହୂ ପଦ ହୋଇଛି ସାର୍ଥ ।
ତୋର ପରି ବୋଉ ମୁଁ ହେବିଲୋ ବୋଉ
ମୋ ସନ୍ତାନକୁ ମଧ୍ୟ ତଥା ଗଢ଼ିବି,
ଏହି ପରମ୍ପରା ବିଧି ପାଳିବାର
ସୁଫଳ କଥାକୁ ଦେଖାଇ ଦେବି ।
ଥିଲି ସୁନା ଝିଅ ହେଲି ସୁନା ବୋହୂ
ତୋହରି କ।ରଣୁ ବୋଉଲୋ ମୋର,
ସର୍ବ ସାଫଲ୍ୟର ଆଧାର ତୁ ଅଟୁ l
ମୋର ଜୀବନର ଆଦର୍ଶ ସ୍ୱର