ସୁକୁଟି ବୁଢୀର ଛୁଆଁ ବେମାରି
ସୁକୁଟି ବୁଢୀର ଛୁଆଁ ବେମାରି
ଶ୍ରୀ ମାଧବ ଚନ୍ଦ୍ର ସ୍ଵାଇଁ
ଶୁଣିଛ କି ପିଲେ ଘଡଘଡି ପୁର
ସୁକୁଟି ବୁଢୀର କଥା
ଏମିତି ବୁଢୀ ସେ ତା’ କଥା ଶୁଣିଲେ
ଘୂରିଯିବ ତୁମ ମଥା l
ଛୁଆଁ ଓ ଅଛୁଆଁ ନୀଚ ଭେଦଭାବ
ବୁଢିଠାରେ ଥିଲା ରହି
କାଠିକୁଟା ଡେଇଁ ବାଟ ଚାଲୁଥିଲା
କାଳେ ଜୀବ ଛୁଆଁ ହୋଇ l
ଦିନକୁ ଧୁଅଇ ଗୋଡ ଦଶ ଥର
ବୁଡ ପାରେ ତିନି ଥର
ପିଲାଛୁଆ ଯଦି ଛୁଇଁଦେଲା କିଏ
ରାଗେ ହୁଏ ଗର ଗର l
ତା’ କଂସା ବାସନ ଗିଲାସ ଥାଳିଆ
କାହାରିକୁ ଦିଏ ନାହିଁ
ଖାଇପିଇ ସାରି ବୁଢୀ ସେ ସବୁକୁ
ଯତନେ ରଖଇ ଧୋଇ l
ରାତି ଅଧେ ଦିନେ ସୋଇଥିଲା ବୁଢୀ
ଶୁଣିଲା ମଣିଷ ଚାଲି
ଧଡପଡ ହୋଇ ଉଠି ପଡି ବୁଢୀ
ଚାହୁଁଥିଲା ଆଖି ମେଲି l
ଚୋର ପଶି ଯେବେ ଘର ଅଣ୍ଡାଳିଲା
ବୁଢୀ ଲଗାଇ ଡିବିରି
ଦେଖିଲା ବେଳକୁ ଠିଆ ହୋଇଅଛି
ସେଠୀ ଘର ପୁଅ ହରି l
ହରି କହୁଅଛି ‘ ସୁକୁଟି ମାଉସୀ
ଜମା ପାଟି କର ନାହିଁ
ତିନି ଦିନ ହେଲା ଉପବାସ ଅଛି
ଆସିଛି ଖାଇବା ପାଇଁ l’
ଏହା କହି ହରି ବୁଢୀର କଂସାରେ
ପଖାଳ ଭାତକୁ ବାଢି
ମହା ଆନନ୍ଦରେ ଖାଇଲା ସେଠାରେ
ନେଇ ଲୁଣ, ଲଙ୍କା, ବଡି l
ବୁଢୀ କହେ ‘ ମୋର କଂସାରେ ଖାଇଲୁ
ସେ ସବୁ ତ ହେଲା ମାରା
ପାଟି ନ କରି ତୁ ଘରକୁ ନେଇ ଜା’
ତୁହି ମୋ ଧନଟା ପରା l ‘
ଚୋର ପଳାଇଲା ଚୋରର ବାଟରେ
କଂସା ବାସନକୁ ଧରି
ସକାଳ ହେବାରୁ ବୁଢୀ ରଡି କଲା
ମୋ ଘରେ ହୋଇଛି ଚୋରି l
ଚକୁଳିଆ ଆସି କହିଲା ମାଉସୀ
ମୋ ସାଙ୍ଗେ ଫାଣ୍ଡିକୁ ଚାଲ
ସେହିଠାରେ ସବୁ କଥା ବାହାରିବ
କିଏ କଲା ହରିବୋଲ l
ଛୁଆଁ ହେଲା ମୋର ବାସନ କୁସନ
ସେ ସବୁ ମୋ’ ଲୋଡା ନାହିଁ
ଚୋରଟାକୁ ପରା ଆଖିରେ ଦେଖିଛି
ଫାଣ୍ଡି ଯିବି କାହିଁ ପାଇଁ
ଟା’ ନାତି ଟୁକୁନା ପାଠ ପଢା ପିଲା
କହିଲା, ‘’ ଜାଣିନୁ ଆଈ
ଆମେ ତ ମଣିଷ ସଭିଏଁ ସମାନ
ଛୁଆଁକୁ କାହିଁକି ବାଇ ?’’
ହରି ଆଣିଦେଲା ବୁଢୀର ବାସନ
ଗଙ୍ଗା ପାଣି ସିଞ୍ଚିଦେଇ
ସୁକୁଟି ଥୋଇଲା କଂସା ବାସନକୁ
ରୋଷେଇ ଘରକୁ ନେଇ l