ସୁକନ୍ୟା
ସୁକନ୍ୟା
ପିତାଙ୍କ ଦୁଲ୍ହଣୀ ମା'ର ଗେଲ୍ହି ସେ
ଭାଇର ଅତି ପ୍ରିୟର,
ସଂସାରକୁ ଖୁସି ଆଣିଥାଏ ଯିଏ
ସୁକନ୍ୟା ନାମଟି ତାର ll
ଘର ନାଚି ଉଠେ ତାର ଆଗମନେ
ଲକ୍ଷ୍ମୀ ତ ଆସନ୍ତି ଚାଲି,
ଜନମ ନେଇ ସେ ପୂରାକରିଥାଏ
ଘର ଯଦି ଥାଏ ଖାଲି ll
ତାର ଆଗମନେ ପୁନିଅଁ ପରବ
ଘରେ ଚାଲିଥାଏ ମେଳି,
ହସି ହସାଏ ସେ ଦୁନିଆଁକୁ ପରା
ଦେଇ ସେ ହସର ଝୁଲି ll
ପିଲାଦିନ ସରି ଯୌବନଟା ଯେବେ
ଆସି ଯାଏ ତାର ଚାଲି,
ପର ଘର ବିଦା ହେବାପାଇଁ
ମନେ ଉଠେ ସଭିଙ୍କ ଭାଳେଣି ll
ହୋଇ ସେ କଲ୍ୟାଣୀ ଧରି ସେ ଆଞ୍ଜୁଳି
ଶାଶୁଘର ଯାଏ ଚାଲି,
ମାଆର ମମତା ଗୁମୁରି କାନ୍ଦେତା
ଛାଡି ସ୍ନେହର ଆଞ୍ଚୁଲି ll
ସଂସାର ମଝିରେ ଅଦିନ ଝଡ଼ଟା
ଯେବେ ମାଡି ଆସେ ଖାଲି,
ଯୌତୁକ ରାକ୍ଷସ କବଳରେ ପଡେ
ଜୀବନ ଯାଏ ତା ଚାଲି ll
ଏଇ ସୁକନ୍ୟା ଯେ ଦୁଇ କୂଳହିତା
ନାଆଁଟି ତାର ଦୁହିତା,
ପିତାକୁଳ ପତିକୁଳ ଲାଗି
ଜଳି ଜଳି ହୁଏ ଶେଷ ସଳିତା ll
