ସୁଖଶାନ୍ତିର ସନ୍ଧାନ
ସୁଖଶାନ୍ତିର ସନ୍ଧାନ
ସଂସାର ସାଗର ଜଳ ସଦା ଚଳଦଳ
ଖେଳୁଥାଏ ଯହିଁ ସୁଖ ଦୁଃଖର ହିଲ୍ଲୋଳ ।
ଜୀବନ ସଂଗ୍ରାମେ ନିତି ଯୁଝି ଯୁଝି ମୁହିଁ
ସକାଳର ରବି ଦେଖି ଉଠିଧାଏଁ ମୁହିଁ ।
ଧାଇଁ ଧାଇଁ ଦିନ ସାରା ସୁଖ ଖୋଜେ ମୁହିଁ
ଖୋଜୁ ଖୋଜୁ ଦିନ ସରେ ସଞ୍ଜ ଆସେ ନଇଁ ।
ଯେତେ ସୁଖ ଖୋଜିଲେବି ସୁଖ ମିଳେନାହିଁ
ଶାନ୍ତି ପଛେ ଗୋଡାଇଲେ ଶାନ୍ତି ମିଳେ କାହିଁ ?
ସଂଜ ଆସେ ନଇଁ କ୍ରମେ ଦିନ ଯାଏ ସରି
ମନ ସାଗରରେ ଖେଳେ ଦୁଃଖର ଲହରୀ ।
ମନସାଗର ଜଳରେ ଦୁଃଖର ଟେକାଟେ
ତରଙ୍ଗ ରଚନା କରେ ପକାଇ ସଙ୍କଟେ ।
ଦୁଃଖର ଜୁଆର ଉଠେ ପଡଇ ସୁଖର ଭଟ୍ଟା
ଦୁଃଖରେ ଅଧିର ହୁଏ ବିଚରା ମନଟା ।
ଝଡ ତୋଫାନରେ ଯେହ୍ନେ ସାଗରେ ଜାହାଜ
ଭାସିବାଟା ସେତେବେଳେ ନୁହଇ ସହଜ ।
ଜୁଆରିଆ ମନ ବକ୍ଷେ ଦୁଃଖର ଲହରୀ
ଭୀତତ୍ରସ୍ତ ହୋଇଯାଏ ସୁଖର ନାଉରୀ ।
ସୁଖ ଖୋଜି ଖୋଜି ମୁହିଁ ସୁଖ ପାଏ ନାହିଁ
ଶାନ୍ତି ଖୋଜି ଖୋଜି ଶାନ୍ତି ପାଏ ନାହିଁ ମୁହିଁ ।
ସୁଖଶାନ୍ତି ସନ୍ଧାନରେ ସାଗର ବେଳାକୁ
ଯାଇ ପଚାରିଲି ମୁହିଁ ଠିକଣା ତାହାକୁ ।
ବେଳାଭୂମି ଶାନ୍ତକାନ୍ତ ଅତୀବ ରୂପସୀ
ତା ରୂପ ଲାବଣ୍ୟେ ସୂର୍ଯ୍ୟ ଚନ୍ଦ୍ର ଯା'ନ୍ତି ଫସି ।
ହାତ ଠାରି ଦେଖାଇଲା ସାଗର ଜଳକୁ
ତାର ନୀଳ ଜଳରାଶି ଉତ୍ତାଳ ଢେଉକୁ ।
ସାଗର ଗର୍ଭରେ ଅଛି ନାନା ମୋତି ମୁକ୍ତା
ତଥାପି ପ୍ରଗଳ୍ଭେ ସଦା ପିଟୁଅଛି ମଥା ।
କିଏ ଜାଣେ କି ଦୁଃସହ ଆବେଗ ତା ମନେ
ଜାଳୁଅଛି ତିଳ ତିଳ କରି ପ୍ରତିକ୍ଷଣେ ।
ସୁଖର ସପନ ଯେତେ ଦେଖୁଅଛି ମନେ
ସୁଖ ଶାନ୍ତି ମିଳୁନାହିଁ କେବେ ବି ତା ମନେ ।
ତେଣୁ ଜାଣିରଖ ତୁମେ ସୁଖ ସ୍ବପ୍ନ ଦେଖି
ପାଇବନି କେବେ ତୁମେ ସୁଖ ସ୍ବାଦ ଚାଖି ।
ଆଙ୍ଗୁଳି ବଢାଇ କହେ ଦେଖ ସେ ଆକାଶ
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ନୀଳିମା ପ୍ରକାଶ ।
ନିରବତା ପ୍ରତିଭାତ ବିମଳ ପ୍ରଶାନ୍ତି
ସୁଖ ପଛେ ଧାଏଁ ନାହିଁ ମିଳେ ତାକୁ ଶାନ୍ତି ।
ଯିଏ ସୁଖ ଖୋଜେ ତାକୁ ସୁଖ ମିଳେ ନାହିଁ
ଯିଏ ଖୋଜେନାହିଁ ସୁଖ ତାହାକୁ ମିଳଇ ।
କାୟ ମନ ବାକ୍ୟେ ନିଜ କର୍ମ କରିଚାଲ
ଫଳ ମିଳିବାର ସ୍ବପ୍ନ ଯଦି ନ ଦେଖିଲ ,
ସୁଖ ଶାନ୍ତି ମିଳିବାଟା ଥୟ ବୋଲି ଜାଣ
କର୍ମ ଜାଣି ମିଳିଯିବ ଭବ୍ୟ ଫଳମାନ ।
କର୍ମର ଉପରେ ଏକା ତୁମ ଅଧିକାର
କାୟ ମନ ବାକ୍ୟେ ତୁମ କର୍ମମାନ କର ।
ବିଧି ହସ୍ତେ ଛାଡି ଦିଅ ଫଳର ଦାୟିତ୍ବ
ମିଳି ଯିବ ଯୋଗ୍ୟ ଫଳ ସୁଖର ସ୍ଥାୟିତ୍ବ ।
ମରୀଚିକା ପରି ଭ୍ରମାତ୍ମକ କ୍ଷଣ ସ୍ଥାୟୀ
ଦରବ ସମ୍ଭୂତ ଖୁସି ଅଟେ ଜାଣ ଭାଇ ।
ରାସ୍ତା କଡେ ରାତ୍ରେ ଦେଖ ଗରିବ ଭିକାରୀ
ପ୍ରଶାନ୍ତିରେ ନିଦ୍ରା ଯାଇପାରଇ କିପରି ।
ଧନଶାଳୀ ଶୀଳ୍ପପତି କୋଟି ମୁଦ୍ରା ଥାଇ
ସୁଖେ ତିଳେହେଲେ କେବେ ଶୋଇ ନ ପାରଇ ।
କାଳେ ଅନ୍ୟ କେହି ତାକୁ ଟପି ଯିବ ବୋଲି
ଅବଚେତନ ମନରେ ସଦା ଖେଳେ ଦୋଳି ।
ସୁଖ ସିନ୍ଦୁକର ଚାବି ପର ହସ୍ତେ ଦେଇ
ସୁଖ ଶାନ୍ତି ସୁଖ ନିଦ୍ରା ଦିଅନ୍ତି ହଜାଇ ।
ଧନୀ ଚାହୁଁଅଛି ତାକୁ ମିଳୁ ବେଶି ଧନ
ଧନର ଅଭାବବୋଧ ଦହଇ ତା ପ୍ରାଣ ।
ସୀମିତ ସମ୍ବଳେ ତୁମେ ସୁଖେ ଚଳି ପାର
ତାକୁ କିନ୍ତୁ ମନ ତୁମ କରେନି ମଞ୍ଜୁର ।
କଳ୍ପିତ ଅଭାବବୋଧ ହୋଇଛି ସବାର
ସେ ଅଭାବବୋଧ ଅଟେସୁଖ ଶାନ୍ତି ଚୋର ।
ମାଟିର ଶରୀର ଦିନେ ମାଟିରେ ମିଶିବ
ଧନ ସାଥି ପରିଜନ ସାଥେ କେ ନ ଯିବ ।
ଛଅ ଖଣ୍ଡ କାଠ ଲୋଡା ଶେଷେ ତୁମପାଇଁ
ଜୀବନର ଅସାରତା ମହାର୍ଘ୍ୟ ବୁଝାଇ ।
ଆଲେକଜାଣ୍ଡର ମହାବୀର ସମ୍ରାଟ ଅଶୋକ
ଅଧିକ ଜିତିବା ଦେଇ ପାରି ନାହିଁ ସୁଖ ।
ଅଧା ଲଙ୍ଗଳା ଫକୀର ଗାନ୍ଧିଜୀଙ୍କୁ କହି
କର୍ମପଥୁ କେହି ହେଲେ ପାରିନି ହଟାଇ ।
ହୀନମନ୍ୟତା ମନକୁ ପାରିନାହିଁ ଛୂଇଁ
ସତ୍ୟ ଅହିଂସା ପଥରେ ଅବିଚ୍ୟୁତ ରହି ।
ବିନା ଖଡ୍ଗ ବିନା ଢାଲେ ସ୍ବାଧୀନତା ଆଣି
ସାରା ବିଶ୍ବେ ବାଣ୍ଟିଦେଲେ ଅହିଂସାର ବାଣୀ ।
ଜାଗତିକ ଅଭାବବୋଧର ବଦଳରେ
ଦିବ୍ୟ ଅସନ୍ତୋଷ ଭାବ ଆଣିଣ ମନରେ ।
ବସୁଧୈବ କୁଟୁମ୍ବକମ୍ ଏ ଆଦର୍ଶରେ
ଦୀକ୍ଷିତ କଲେ ବିଶ୍ବ ଶାନ୍ତି ମୈତ୍ରୀ ଦୀକ୍ଷାରେ ।
“ସଙ୍ଗଚ୍ଛଧ୍ବଂ ସମ୍ବଦଧ୍ବଂ ସଂ ବୋ ମନାଂସୀ
ଜାନତାମ୍” ବେଦ ବାଣୀ ମୂଲ୍ୟ ରଖେ ବେଶି ।
ସୁଖ ଅନୁଭବ ଲକ୍ଷ୍ୟ ମନରେ ନ ରଖ
ପରିବାର ସମାଜ ବିଶ୍ବେ ସନ୍ତୁଳନ ରଖ ।
ଜାଗତିକ ବସ୍ତୁ ଚିର ସନ୍ତୋଷ ପ୍ରଦାନ
କରି ପାରେ ନାହିଁ ଏହା ସତ୍ୟ ବୋଲି ଜାଣ ।
ଖୁସି ଏକ ଆପେକ୍ଷିକ ମନର ଅବସ୍ଥା
ସୁଖ ଏକ ମାନସିକ ଅନୁଭବ ଗାଥା ।
ହିଂସା ଦ୍ବେଷ ଇର୍ଷାପଣ ଅବା ଅସହିଷ୍ଣୁତା
ବିବର୍ଜିତ ଅର୍ଥପୂର୍ଣ୍ଣ ଜୀବନ ସଂହିତା ।
ପ୍ରୟୋଜନ ଅଛି ଜୀବନେ ତୁମର ଏକା
ବର୍ଜନ କର ମନୁ ଇର୍ଷା ଅସହିଷ୍ଣୁତା ।
ଏହା ତ ଅଟଇ ସାର୍ଥକ ଜୀବନ ତନ୍ତ୍ର
ସୁଖ ସିନ୍ଦୁକର ଚାବିକାଠି ମହାମନ୍ତ୍ର ।