ସୁଖି ହେବାର ମନ୍ତ୍ର
ସୁଖି ହେବାର ମନ୍ତ୍ର
ଦୁଃଖ ସୁଖ ଦୁହେଁ ଯମଜ ଭାଇ ଛାଡି ନ ଯାଆନ୍ତି ପାଖ
ସୁଖ ଦୁଃଖ ଜୀବନରେ ଯଥା କେବେ ଖିରିସା କେବେ ମଳୁଖ !
ସଂପଦ ବିପଦ ପରିସ୍ଥିତି ଆମେ ଦୁଃଖ ସୁଖ ବାଣ୍ଟୁଥାଇ
ସଂପଦକୁ ସୁଖ ବିପଦକୁ ଦୁଃଖ ବିଚାର ମନରେ ନେଇ ।
ଗରିବ ବିଚାରେ ଦୁଃଖଟି ତାହାର ଚୀର ଦିନ ସହଚର
ଧନୀକର କଦା ଦୁଃଖ ନଥିବ ସୁଖରେ ତା'ର ସଂସାର ।
ଦୁଃଖ ଆଣିଦିଏ ମହାଦୁଃଖ ପୁଣି ଦୁଃଖର ଚକା ଭଉଁରୀ
ଲୋତକର ବନ୍ୟା ତିନ୍ତାଏ ଶରୀର ଦୁଃଖ ହୋଇଯାଏ ଭାରି।
ଜୀବନଟା ଏକ ଯାତ୍ରା ପଥ ଆମେ ସଭିଏଁ ପଥିକ ଗଣ
ବସ୍ତାନିର ବୋଝ ବହୁଥାଏ ଭାବି ଦରକାରୀ ଚିଜ ମାନ ।
ବସ୍ତାନି ଯାହାର ହାଲୁକା ଯେତିକି ଯାତ୍ରା ଉପଭୋଗ୍ୟ ତା'ର
ସରଳ କଥାଟି ବୁଝି ଗଲା ଯିଏ ସବୁ ପରିସ୍ଥିତି ପାର ।
ଶ୍ରୀକୃଷ୍ଣଙ୍କ ବାଣୀ ଗୋଟିଏ ବାକ୍ୟରେ ସବୁ ପରିସ୍ଥିତି ପାଇଁ
ଚିନ୍ତା କର ନାହିଁ ଭଲ ଅବା ମନ୍ଦ ଚିରସ୍ଥାୟୀ ହେବ ନାହିଁ ।
ଉଦୟ ଅସ୍ତ ଉଭୟ ସ୍ଥିତିରେ ରବି ସମ ରଂଗ ବହି
ସ୍ଥିତପ୍ରଜ୍ଞ ସେହି ବିପଦେ କାତର ସଂପଦେ ଚାତର ନୋହି ।
ଗରିବ ସେ ଜନ ଅନ୍ୟକୁ ଯିଏ ହାତ ଟେକି ଦେଇ ନାହିଁ
ମାଟି ତଳେ କେତେ ସୁନା ହୀରା ଅଛି ମାଟି କି ଧନୀକ ହୋଇ !
ଦେବାର ଆନନ୍ଦ ପାଇଛି ଯେ ଜନ ଗରିବ କି ଦୁଃଖୀ ନୁହେଁ
ଧନ ଠୁଳ ଯାହା ଜୀବନର ଲକ୍ଷ୍ୟ ଧନୀକ ହୁଏ କି ସିଏ !
କାୟିକ ବାଚିକ ଶାରୀରିକ ଅବା ମାନସିକ ଭାବେ ଦାନ
ଦେବାକୁ ସମର୍ଥ ହୋଇଲେ ମାନବ ସୁଖ ଲଭିବ ଜାଣ ।
ସୁଖ ଦୁଃଖ ଏକ ମନର ଅବସ୍ଥା ନିୟନ୍ତ୍ରଣ ମନ କରେ
ସୁଖୀ ବୋଲି ଯିଏ ଅନୁଭବ କରେ ଦୁଃଖ ତାହାରେ ଡରେ ।