ସୁଖ ଆଉ ଦୁଃଖ
ସୁଖ ଆଉ ଦୁଃଖ
ପରା ଅଳଙ୍କାର ମନୁଷ୍ୟ ଜୀବନେ
ସୁଖ ଦୁଃଖ ପରା ଦୁଇ
ଜୀବନେ ଆସିବ ଅବଶ୍ୟ ହିଁ ତାହା
ସାର୍ଥକ ଜୀବନ ଭାଇ ।
ମୂଲ୍ୟ ଦୁହିଁଙ୍କର ସମାନ ଟି ଯହିଁ
ଆସିବାର ଦରକାର
ତେବେ ହିଁ ବୁଝିବ ଏ ଜୀବନ ମୂଲ୍ୟ
କିପରି ରୂପ ତାହାର।
କିମ୍ପା ବିଚଳିତ ? ଦୁଃଖର କାଳରେ
ତହିଁ ଧୈର୍ଯ୍ୟ ଦରକାର
ଦୃଢ଼ ଇଚ୍ଛାଶକ୍ତି ଜରୁରୀ ଦୁଃଖରେ
ମନୁଷ୍ୟର କର୍ତ୍ତବ୍ୟର ।
ସମାନ ଭାବିବା ଦୁହିଁଙ୍କୁ ହେ ଭାଇ
ସୁଖ ଦୁଃଖ ଅଳଙ୍କାର
ଆଜି ପିନ୍ଧିଥିବା ଦୁଃଖ ଅଳଙ୍କାର
କାଲି ବାନ୍ଧିବା ସୁଖର ।
ବୃଥା ଏ ଜୀବନ ବିନା ଦୁଃଖ ସୁଖ
ମୂଲ୍ୟ ନାହିଁ ଜୀବନର
ବୁଝିବ କାହୁଁ ସେ ତା'ର ଅଭିନୟ
କିପରି ରଙ୍ଗ ତାହର ।
ଜ୍ଞାନୀ ଜନ ବୁଝେ ସମାନ ଦୁହିଁଙ୍କୁ
ନାହିଁ ତା' କାତର ଦୁଃଖ
କର୍ମ କରୁଥାଏ ନୁହେଁ ବିଚଳିତ
ମଣୁଥାଏ ତାକୁ ସୁଖ ।
ନ କରେ ସୁଖରେ ଗର୍ବ ଅହଂକାର
ସେବୁଥାଏ ଜନମନ
ସେବା କରିବାର ସମୟ ତାହାର
ନ ଭାବେ କାହାକୁ ହୀନ ।
ତା'ର ସମଭାବ ସୁଖ ଓ ଦୁଃଖରେ
ନ କରେ ଅନୀତି କେବେ
ମନୁଷ୍ୟ କର୍ତ୍ତବ୍ୟ କରୁଥାଏ ଜ୍ଞାନୀ
ସମାନ ସଭିଙ୍କୁ ଭାବେ ।
ଭକ୍ତି ରଖିଥାଏ ଚକାନୟନରେ
ସୁଖ ଥାଉ ଅବା ଦୁଃଖ
ସୁଖ ଦୁଃଖ ପରା ଜୀବନ ରତନ
ଜାଣେ ଜ୍ଞାନୀ ତା' ପ୍ରତ୍ୟକ୍ଷ ।
ଇଶ୍ଵର ହେ ତୁମେ ଶକ୍ତି ଭରିଦିଅ
ମନୁଷ୍ୟ କର୍ତ୍ତବ୍ୟ ଯେହୁ
ସୁଖ ଦୁଃଖ ହେଉ ଜୀବନେ ଚନ୍ଦନ
ପ୍ରୀତି ଦୁହିଁଙ୍କର ରହୁ ।
ହସ୍ତେ ତୋର ଅଛି ସବୁ ଜଗନ୍ନାଥ
ବ୍ରହ୍ମାଣ୍ଡ ଠାକୁର ଯହିଁ
ଭକ୍ତି ରହିଥାଉ ଚରଣରେ ତୋର
ନାମ ଗାଉଥିବି ମୁହିଁ ।
