ସ୍ମୃତି ତୁମେ କେବେ
ସ୍ମୃତି ତୁମେ କେବେ
ସ୍ମୃତି ତୁମେ କେବେ
ପାଉଁଶ ତଳର ନିଆଁ
ସିକ୍ତ ଅନୁଭୂତି
ଅପାଶୋରା ଗୀତି
ଫୁଲ ଫଗୁଣ ରେ
ନବ ପଲ୍ଲବିତ
ମଧୁ ମଳୟର ଛୁଆଁ ।
ସ୍ମୃତି ତୁମେ କେବେ
ଧାରା ଶ୍ରାବଣୀର ଲୁହ
ପ୍ରୀତି-ସୁଧା ବୋଳା
ଝରା ଶେଫାଳୀ ର
ବେଦନା ବିଧୂରା
ହୃଦୟ ଅଧୁରା କୋହ ।
ସ୍ମୃତି ତୁମେ କେବେ
ଝରା ବଉଳର ବାସ୍ନା
ନିରୀମାଖି କେଉଁ
କୁଆଁରୀ କନିଆଁ
ଅଳସୀ ତନୁର
ରୂପା ମଖା ଶୁଭ୍ର ଜ୍ୟୋତ୍ସ୍ନା ।
ସ୍ମୃତି ତୁମେ କେବେ
ପାହାଡୀ କନ୍ୟାର ହସ
ବିଜନ ରଜନୀ ପୀୟୂଷ ଲଗନେ
ମନ୍ଦ ସମୀରଣେ
ରଜନୀ ଗନ୍ଧା ର ବାସ ।
ସ୍ମୃତି ତୁମେ କେବେ
ଜ୍ୟୋତ୍ସ୍ନା ଧୌତ ପୂର୍ଣ୍ଣ ନିଶି
ନୀଳ ନୟନାର ହରିଣୀ କଟାକ୍ଷେ
ଲାଜେ ଲାଜେ ହସେ ଶଶୀ ।
ସ୍ମୃତି ତୁମେ କେବେ
ପ୍ରଶାନ୍ତ ପ୍ରକାଶ ଜ୍ୟୋତି
ସାତ ତାଳପଙ୍କ ସିନ୍ଦୁକ ଭିତରେ
ରାଜକୁମାରୀର
ସାଇତା ଫରୁଆ ମୋତି ।
ସ୍ମୃତି ତୁମେ କେବେ
ଅଡ଼ୁଆ ସୂତାର ଖିଅ
ଆନମନା ନିତି ଅଭିସାରିକାର
ପୀରତି ଶୃଙ୍ଗାରେ
ଯାମିନୀ ବିତାଇ ନିଅ ।
ସ୍ମୃତି ତୁମେ କେବେ
ପ୍ରାଣବନ୍ତ ଅନୁଭୂତି
ଆତ୍ମଫୁଲ ଫୁଟେ ବିଭୋର ସପନେ
ଅଜଣା ପୁଲକେ
ଭିଜିଭିଜି ସାରା ରାତି ।
ସ୍ମୃତି ତୁମେ କେବେ
ଭସା ବାଦଲର ମାୟା
ପାଲଟି କାପାଇଁ ପରଶ ମାଣିକ
ବାଣ୍ଟ ସୁଖ ଶୀରି
କାହାପାଇଁ ମରୁ ଛାୟା ।
