STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ସ୍ବାଧୀନତାର ମୂଲ୍ୟବୋଧ

ସ୍ବାଧୀନତାର ମୂଲ୍ୟବୋଧ

1 min
213

କାହିଁ ସେ ସ୍ବାଧୀନତା କାହିଁ ମୂଲ୍ୟବୋଧ

କିଏ ବା କାହିଁକି ବୃଥା ବୁଝିବ ତା ମୂଲ୍ୟ,

ସଭିଏଁ ବନ୍ଧା ଏଠି ଅପରର ଦାସ ହୋଇ

ଜୀବନ ମୂଲ୍ୟହୀନ ଆଜି ଜୀଇଁବା ଦୁର୍ମୂଲ୍ୟ। 


କିଏ ଏଠି ଶାପଗ୍ରସ୍ତ ଜଡ଼ ଅହଲ୍ୟା ପରି

ମୋହାଛନ୍ନ ଆକାଶର ନିବିଡ଼ ଅନ୍ଧାରେ,

ବିକାରର ବୈଶାଖରେ ହୁତୁହୁତୁ ହୋଇ

କିଏ ଏଠି ଜଳିଯାଏ ଉତ୍ତପ୍ତ ରୌଦ୍ରରେ।


ଅଭାବର ଅକ୍ଟୋପସ୍ ଅଭ୍ୟସ୍ତ ଆହାର ପରି

କବଳିତ କରିନିଏ ବହୁ ଅଭାଗାଙ୍କୁ,

ପକେଟରେ ଭାଗ୍ୟ ଧରି ଅଟ୍ଟହାସ୍ୟ କରି

କେଇଜଣ ସଗର୍ବରେ ଚଢ଼ନ୍ତି ରୁଖାକୁ।


ଓଠ ଚାପି ବସିଥିଲେ ଜୀଇଁବା ସହଜ ଏଠି

କିନ୍ତୁ ଅକ୍ଷମତାର ଅପବାଦରେ ନଇଁଯାଏ ମଥା,

ପାଟି କେହି ଖୋଲିଦେଲେ କଥା ଯାଏ ସରି

ଅପରାଧୀ ଆକ୍ଷେପରେ ଜଳିଯାଏ ବ୍ୟକ୍ତିତ୍ୱର ଚିତା। 


ଦୁନିଆ ଦେଖିବା ଅନେକ ଆଗରୁ

ହତ୍ୟାକାଣ୍ଡ ଘଟେ ପିତାମାତା ହସ୍ତେ ଗର୍ଭରେ ଥାଇ,

ନାରୀଟିଏ ଏଠି ନିର୍ଯ୍ୟାତିତା ହୁଏ

କେଇଟି ଦୂଷିତ ଚରିତ୍ରଧାରୀଙ୍କ ସ୍ବେଚ୍ଛାଚାର ପାଇଁ। 


ସମ୍ପର୍କ ମଝିରେ କାନ୍ଥ ଉଠେ ଏଠି

ସ୍ବାଧୀନତାର ଅନର୍ଥକାରୀଙ୍କ ବୃଥା ଆସ୍ଫାଳନ ପାଇଁ,

ଅଧିକାରର ଅନଧିକାରରେ ଆବେଗ ଭାଙ୍ଗେ

ନାଚିଯାଏ ଆଖିଆଗେ ବାଟରେ ଘାଟରେ ମଣିଷତ୍ବର ଜୁଇ। 


ଦେଶ ସ୍ଵାଧୀନ ହୋଇଛି ସତ

କିନ୍ତୁ ପରାଧୀନ ଏ ଦେଶର ଚରିତ୍ର ଓ ପ୍ରତିଟି ବ୍ୟକ୍ତିତ୍ୱ

ନିଜ ପାଖେ ବନ୍ଧା ଆଜି ନିଜ ବାକ୍ୟ ଭାବନା ଆବେଗ

ସ୍ବାଧୀନତା ନାମେ ଏଠି ନିତି ଚାଲେ ସ୍ବେଚ୍ଛାଚାର ଓ ଅଧିକାରର ଅବାଧ ରାଜତ୍ୱ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract