ରାକ୍ଷୀ ପୂର୍ଣ୍ଣମୀର ଶୁଭକାମନା
ରାକ୍ଷୀ ପୂର୍ଣ୍ଣମୀର ଶୁଭକାମନା
ତୁମ ହାତେ ମୁହିଁ ବାନ୍ଧି ଦେଉଅଛି
ସ୍ନେହ ପ୍ରୀତି ଭରା ରାକ୍ଷୀ
ନୁହଇ ଫେସନ ଲୋକ ଦେଖାଣିଆ
ଏ ଆମ ସ୍ନେହ ମମତାର ସାକ୍ଷୀ ।
ଯେତେ ଦିନ ମୁହିଁ ଥିବି ଏ ଜଗତେ
ତୁମ ଶୁଭାଶିଷ ରହୁ
ଛାଇଟିଏ ହୋଇ ତୁମ ଦୁଇ ହାତ
ମୋର ମଥାପରେ ଥାଉ ।
ହୋଇଥାଉ ପଛେ ସୂତାଟିଏ ଏହା
ଅଟଇ ଅମୂଲ ମୂଲ
ମୋ ସେନେହ ବୋଳା ଭକ୍ତି ପ୍ରୀତି ହୀରା
ମୋତି ମୁକ୍ତା ସମତୂଲ ।
ବାନ୍ଧିଲି ଏ ରାକ୍ଷୀ ରଖିବ ମୋ ମାନ
ଜୀଇଁଥିବି ଯେତେ କାଳ
ବିଳାସେ ବ୍ୟସନେ ଅଥବା ସ୍ମଶାନେ
ସାହା ହେବ ଚିରକାଳ ।
ଜୀବନ ପଥରେ ଝୁଣ୍ଟି ପଡେ ଯଦି
ଆଖିରୁ ଝରାଏ ଲୁହ
ଏଇ ହାତେ ଧରି ପୋଛି ଦେବ ତୁମେ
ନେତ୍ରୁ ପ୍ରବାହିତ ଲୁହ ।
ତୁମେ ମୋର ଭାଇ ଥାଉ ତୁମ ଛାଇ
ମୋର ମସ୍ତକ ଉପରେ
ସୁରକ୍ଷା କବଚ ହୋଇ ରହିଥିବ
ସବୁ ଦୁଃଖ ଆପଦରେ ।
ଏତିକି ଗୁହାରି ପ୍ରଭୁଙ୍କ ପାଦରେ
ଆଜିର ଶୁଭ ଲଗନେ
ମୋ ଭାଇ ଜୀବନ ସୁଖମୟ ହେଉ
ଦୁଃଖ ନ ଆସୁ ତା ଜୀବନେ ।
ତା ଓଠରୁ ଝରୁ ହସର ମୁକୁତା
ବରଷୁ ସୁଖ ଶ୍ରାବଣ
ଚଲାପଥ ତାଙ୍କ ହେଉ କୁସୁମିତ
ହଟିଯାଉ ଦୁଃଖ କଷଣ ।
