STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

କବିର ଆଶା

କବିର ଆଶା

1 min
156

ଏ ଦେବା ନେବାର ହାଟରେ ମୁଁ ଶବ୍ଦର ପସରା ଖୋଲିଛି,

କିଏ ଦେଖି ମୁହଁମୋଡ଼ି ଚାଲିଯାଏ, କେହି କଣେଇ କଣେଇ ହସୁଛି,

ତଥାପି ଆଶା ମୋ ରହିଛି,

ଭିଡ଼ ନହେଲେ ବି ଶବ୍ଦ ପ୍ରେମୀ କିଛି ଆସିବେ ମୋ ପାଶେ ମୁରୁଛି। 


ଏ ହାରିବା ଜିତିବା ପ୍ରତିଯୋଗିତାରେ ମୁଁ ସମନ୍ଵୟର କବିତା ଲେଖୁଛି,

କିଏ କହେ ମୋତେ ବୃଥାଚାରୀ ବୋଲି କେହି ଗବାକ୍ଷେ କଟାକ୍ଷ କରୁଛି,

ତଥାପି ଆଶା ମୋ ରହିଛି,

ଲହୁ ଲୁହ ବଳ ସରିଗଲେ ଶେଷେ, ମୋ କବିତା ପଢ଼ିବେ ଭରସି।


ଏ ସୁଖ ଦୁଃଖର ରଙ୍ଗମଞ୍ଚରେ ମୁଁ ମୋ ଜୀବନ ସଂଳାପ କହୁଛି,

କିଏ କାନ ଡେରି ଦଣ୍ଡେ ହୁଏ ଛିଡ଼ା କେହି ବେଳ ନାହିଁ ବୋଲି ଫେରୁଛି,

ତଥାପି ଆଶା ମୋ ରହିଛି,

ନକଲି ସଂଳାପେ ମନ ଗଲେ ଭରି ମୋ ଅନୁଭୂତିକୁ ଶୁଣିବେ ଭାବୁଛି।


ଭଙ୍ଗା କାହାଣୀର ଶେଷ ଧାଡ଼ି ପରେ ମୁଁ ଦି ପଦ କବିତା ଯୋଡୁଛି,

ବାକିଥିଲା ଯାହା କହିବାକୁ ମୋର ଶେଷରେ ହେଲେ ବି କହୁଛି,

ତଥାପି ଆଶା ମୋ ରହିଛି,

ଅବୁଝା ହୃଦୟ ବୁଝିଯିବ ଦିନେ ଏବେ ଯେ ଯା ବୁଝୁ ପଛେ ବୁଝୁଛି। 


ବତୁରା ଆଖିର ମେଘ ଆକାଶରେ ସୂର୍ଯ୍ୟୋଦୟଟିଏ ଆଙ୍କୁଛି,

ନିରାଶାର ଘନ ଅନ୍ଧାର ରାତିରେ ଛୋଟ ଦୀପଟିଏ ଜାଳୁଛି,

ଏତିକି ମୋ ଆଶା ରହିଛି,

ଝାଉଁଳା ଓଠର ଶୁଖିଲା କୋଣରେ ହସ ଟିକେ ଦେବି ଭାବିଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract