ସୁହାସିନୀଙ୍କ ସମ୍ଭ୍ରମତା
ସୁହାସିନୀଙ୍କ ସମ୍ଭ୍ରମତା
ସୁହାସିନୀ ..
ତୁମ ଆଖିର ପତାରେ ଦିଶେ ସଜଳତା
ତୁମ ଭ୍ରୁଲତାରେ ପ୍ରକୃତିର ସବୁଜ ଭବ୍ୟତା
ତୁମ ଓଠର ପାଖୁଡ଼ାରେ ପୁଷ୍ପିତ ମଧୁ ବାରତା
ତୁମ ମଥା ସତେ ଶୋଭାମୟ ଏକ ମନ୍ଦିର
ସେ ମନ୍ଦିର ସତେ କି ଟିକିଲିଲେ ଆଭୁଷିତା,
ସୁହାସିନୀ..
ତୁମ କାନର ଝୁମୁକାରେ ଝଡ଼ ସବୁ ଉଡି଼ଯାଏ
ତୁମ ଓଠର ରଙ୍ଗରେ ପ୍ରଜାପତି ଲାଖିରହେ
ତୁମ ଗଭା ଗଜରାରେ ଲୁଚେ କେଶର ସୁନ୍ଦରତା
ତୁମ ହାତର ଚୁଡ଼ି ସତେ ବନ୍ଧନର ପରିଭାଷା
ତୁମ ଦର୍ଶନ ହୃଦୟରୁ ହୁଏ, ଶ୍ରେଷ୍ଠ ତୁମ ସମ୍ଭ୍ରମତା,
ସୁହାସିନୀ..
ତୁମ ମୁଖ ଚନ୍ଦ୍ରମା ଉଜ୍ଜ୍ବଳେ ଆତ୍ମା ହୁଏ ବିଭୋର
ତୁମ କଥାର ମୁଦ୍ରାରେ ପୁଲକିତ ହୁଏ ମନର ଘର
ତୁମ ପାଦ ପଡ଼ିଲେ ଆନନ୍ଦିତ ଉଲ୍ଲସିତ ହୁଏ କ୍ଷଣ
ତୁମ ଆଗମନରେ ଦ୍ୱିପ୍ରହର ବି ଦିଏ ସକାଳ ଦିବ୍ୟତା
ଫେରିଯାଏ ଯେତେ ଦୁଃଖ ଦେଖି ତୁମ ବିନମ୍ରତା,
ସୁହାସିନୀ..
ତୁମ ହସର ପିୟୁଷକୁ ପ୍ରତିକ୍ଷଣ କରେ ଆତ୍ମସାତ
ତୁମ ଲୁହ ଟୋପେ ଝରିଲେ ଏ ହୃଦୟ ହୁଏ ଆହତ
ତୁମ କଥା ସତେ ପୁରାଣ-ମନ୍ତ୍ର ଓ ଭାଗବତ-ଗୀତା
ତୁମ ସହ ସାକ୍ଷାତେ ଲଭେ ଐଶରିକ ଆଶିଷ
ତୁମ ସାନିଧ୍ୟେ ଅନୁଭବ ଦେବୀ-ଈଶ୍ୱରୀ ଦର୍ଶନର ପୂଣ୍ୟତା।