ସୁହାଗିନୀ
ସୁହାଗିନୀ
ପ୍ରେମ ପ୍ରଣୟ ର ବିଶୁଦ୍ଧ ମଧୁର
ମାଧୁରୀ ମୂର୍ଚ୍ଛନା ଧାର
ଧରି ଉଭା ହୋଇ ଯିଏ ପ୍ରେମ ମୟୀ
ପ୍ରେମ ପ୍ରଣୟ ପ୍ରଚାର ।
ପ୍ରଚୁର ପ୍ରୀତିର ସ୍ରୋତ ଧାରେ ଚିର
ସିକ୍ତ କରାଏ ଅନ୍ତର
ଅନ୍ତର ର ଦୁଃଖ ଶୋକ ତାପ ଦାହ
ସହି ଥାଏ ନିରନ୍ତର ।
ରତ ରହି ଥାଏ ଗୃହ ସୁକଲ୍ୟାଣେ
ଅପରେ ଅର୍ପେ ସାନ୍ତ୍ଵନା
ଶାନ୍ତି ପାଇଁ ସଞ୍ଜେ , ସଞ୍ଜ ବତୀ ଜ।ଳେ
ଶଙ୍ଖ ବଜାଇ ପ୍ରାଥନା ।
ପ୍ରଥା ପରମ୍ପରା ପ୍ରଚଳିତ ରୀତି
ଅନୁଯାୟୀ ସେ ପାଳନ
ଲୟ ରଖି କରେ ପୂଜା ଉପଚାର ,
ଭକ୍ତି ଈଶ୍ୱର ପୟର ।
ପୟରେ ଅଳତା ସୁନ୍ଥା ରେ ସିନ୍ଦୁର
ଚିତା ଓ ଓଢଣୀ ସାଜେ
ସାଜି ସେ ସନ୍ତୋଷ ହୋଇ ହସ ହସ
ନ।ନା ରଙ୍ଗ ରସେ ମଜ୍ଜେ ।
ମଜା କଥା କହି ମନ କୁ ତୋଷଇ
ସୁହାଗିନି ପତି ପ୍ର।ଣା
ପ୍ରଣୟ ବିଭୋର ହୋଇ ରହେ ଚିର
ନ ଜାଣେ ଯେ ପ୍ରତାରଣା ।
ରଣ ରଣ ପୀଡା ନିବାରଣେ ବ୍ରୀଡ଼ା-
ବତୀ ରତି ସୁନିପୁଣା
ପୂର୍ଣ୍ଣ ଚନ୍ଦ୍ରାନନୀ ନିତି ସ୍ୱାଭିମାନିି
ସ୍ନେହ ଶ୍ରଦ୍ଧା ଓ କରୁଣା ।
ଅରୁଣାଧରୀ ସେ ସୁମଧୁର ହ।ସେ
ସୌଭାଗୀନୀ ସିମନ୍ତିନୀ
ସୀମନ୍ତ ସିନ୍ଧୂର ବାଳାରୁଣ ଆଭା
ବିଭାସେ ସେ ସୁହାଗିନୀ ।
ସୁହାଗିନୀ ନାରୀ ଚିତ୍ତ ନିଏ ହରି
ହରିଣୀ ନୟନୀ ଧୀରା
ଧୀରେ କହେ କଥା କରେନା ଛଳନା
ଛଇଳା ମଧ୍ୟେ ଯେ ହୀରା ।
ହୀରକ ଦଶନୀ ମାତଙ୍ଗ ଗମନି
କ୍ଷୀଣ ମଧ୍ୟା ପୃଥୁସ୍ତନୀ
ସ୍ତନିତ ପରାୟ ଦମ୍ଭ , ନମନୀୟ
ନମ୍ରତାରେ ସୁହାସିନି ।
ସୁହାସ ମାଧୁରୀ ନିଏ ମନ ହରି
ଅପୂର୍ବ ଭାବ ଦାୟିନୀ
ଦୟା ବିନୟ ରେ ସମାଦର କରେ
ଚଳଇ ସୌହାର୍ଦ୍ଧ୍ୟ ଘେନି ।
ଘେନି ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି ପୂର୍ଣ୍ଣ
ସମସ୍ତ ଙ୍କୁ ନିତି ନିତି
ନୀତି ନିୟମ କୁ ପାଳି ଚିର କାଳ
ସେବଇ ଯିଏ ସ୍ୱାମୀ କି ।
ସ୍ବାମୀ ହିତେ ଚିର ଥାଏ ସେ ତତ୍ପର
କରେ ନାନା ଓଷା ବ୍ରତ ।
ବ୍ରତ ଉପବାସ ପୂଜା ପାଠ ପର୍ବ
ପର୍ବାଣୀ ପାଳନ କରି
କରି ଥାଏ ନିତି ଦେବତା ଙ୍କ ପ୍ରୀତି
ଧଯ୍ୟ ଓ ସାହସ ଧରି ।
ଧରି ଦିବ୍ୟ ଚିନ୍ତା ଚେତନା ମୂଳକ
ମନୋଭାବ ପ୍ରାଣେ ପ୍ରାଣେ
ପୁଣ୍ୟ ଉଦ୍ଦୀପନା ଆଦର୍ଶ , ଆହ୍ଵାନ
ଅନୁରାଗ ବୋହି ପ୍ରାଣେ ।
ପୁଣ୍ୟ ଅର୍ଜନ ରେ ରତା ସେ ନିରତ
ତାର ଦମ୍ଭ ଅପ୍ରମିତ
ମିତ ପ୍ରାୟ ମଣେ ଚିତ୍ତେ ଯେ ଅପରେ
ସ୍ନେହ ଧାରା ପ୍ରବାହିତ ।
ହିତ ଉପଦେଶ ଦେଇ ମାନବୀୟ
ବୋଧର ଶିକ୍ଷା ଦିଅଇ
ଐଶ୍ୱର୍ଯ୍ୟ ସମ୍ପଦ ଭୁଞ୍ଜେ ଚିର କାଳେ
ଦୁଃଖ ଦୁର୍ଗତି ନ ଥାଇ ।
ଥାଇ ଚିର ସୁଖେ ସ୍ଵଗୁଣ ପ୍ରକାଶେ
ଅନୁରାଗେ ପୁଲକିତ
କୀର୍ତ୍ତି କୃତୀ ଯଶ ଖ୍ୟାତି ବିବର୍ଦ୍ଧନ
ସୁହାଗିନୀ ନାରୀ ହିଁ ତ ।
ରହି ଥାଏ ସିନା ସ୍ନେହୀ , ଲଜ୍ଜା ନମ୍ରା
ରମଣୀ ସେ ରମଣୀୟ
ରମଣୀୟ ରୁଚି ରମ୍ୟ ବ୍ୟବହାରେ
କିଣେ ଯେ ଆନ ହୃଦୟ ।