ସତ୍ତା
ସତ୍ତା
ତୁମ ସଭିଁଙ୍କ ଆଖି ରେ ନିଜକୁ ଦେଖୁ ଦେଖୁ
ଘଣ୍ଟା କଣ୍ଟା ମଧ୍ୟାନ୍ନ ବେଳାକୁ ଓହ୍ଲାଇ ସାରିଥିଲା ,
ନିଜ ଆଖିରେ ନିଜକୁ ଆଉ ଦେଖିଲି କେତେବେଳେ!
ହଁ ସହଜ ବି କୋଉ ଥିଲା ଯେ
ନିଜକୁ ନିଜେ ଚିହ୍ନିବା
ଈଶ୍ବର ତ ଚିହ୍ନ ଦେଇ ଆଖି ଖଞ୍ଜିଥିଲେ
ଚେହେରାର ଆଗପଟ ଆଇନାରେ ।
ସବୁଆଡେ ସବୁଠୁ ଖୋଜୁଥିବା ଖୁସି ତକ
ଏଇଠି ନିଜ ଆଖି ପଛରେ ଲୁଚିବସିଥାନ୍ତି ବୋଲି ଜାଣିଥାନ୍ତି କେମିତି ଯେ !
ପ୍ରତିଥର ଅନ୍ତର୍ମୁଖୀ ହେଉ ହେଉ ତ
ପଛରୁ କିଏ ଜଣେ ଡାକେ ଆଉ ହାତରେ ଧରେଇଦିଏ
ଚିକମିକ ନାମଫଳକ ଖଣ୍ଡେ
ଯୋଉଥିରେ ସୁନେଲି ରୂପେଲି ଅକ୍ଷରରେ ଲେଖା
ଏଣୁ ତେଣୁ ପ୍ରଶଂସା ରୁ ଫାଳେ ,
କୋଉ ଲେଖାଥିଲା କି ସେଥିରେ
ଏ ସବୁ ନାଗଫାଶ !
ଏବେ ତ ସଂଧ୍ୟା ଢଳିଲା,
ହଉ ପଛେ ଉଛୁର
ଅଜଥା
ଚିହ୍ନା ଅଚିହ୍ନା ସବୁକୁ
ଦେଖିବାର କଳା ଏଇଠି ଅଧା ରଖି
ଆଗେଇ ଯାଉ
ହଜେଇ ସାରିଥିବା
ନିଜର( ଆପଣାର) କିଛି ର ଖୋଜରେ
ଏ ଆଖି ।
