ସତମିଛ
ସତମିଛ
କଲେଇ ବେଢ଼େଇ ଗିଲିଟି ଗହଣା
ସୁନାଠୁ ବେଶୀ ଝଟକେ,
ଚାଟୁ ଚାପୁଲୁସି ଭଦ୍ର ମୁଖା ପିନ୍ଧି,
ମିଛ ସତ ଠାରୁ ବାସେ। [୧]
ସତ କିବା ଧୂଆଁ, ପାହାଡ ସେପାରେ
ସପନ ଲାଗେତା ଛୁଆଁ,
ମିଛ ପାଲିଟିଛି ଶୀତୁଆ ସକାଳ
ଘନ କୁହୁଡିର ଧୂଆଁ । [୨]
ଘନ କଳା ମେଘ ଘୋଟି ଆସି ଯେହ୍ନେ
ସୂରୁଯ କିରଣ ଢାଂକେ,
ମିଛ ପ୍ରହେଳିକା କାୟାକୁ ବିସ୍ତାରି
ସତର ସ୍ୱରୂପ ଫାଙ୍କେ । [୩]
ଶଠ ଚାଲବାଜି କବଳୁ ଦୂରେଇ
ସତ ଧାଏଁ ଦୂରୁ ଦୂର,
ରହିଯିବକି ସେ ପାଗଳ ପ୍ରଳାପେ,
ଶିଶୁର ହସରେ ସ୍ଥିର । [୪]
>
ଛଳ କପଟତା ପହଞ୍ଚାଇ ପାରେ
ସଫଳତାର ସରଗେ,
ଅନ୍ତର ମନରେ ତଳେଇ ଦେଖିଲେ
ଜାଣିବ ତୁମେ ନରକେ । [୫]
କପଟ ଛଳନା ପ୍ରତାରଣା ଠାରୁ
ଏବେବି ଦୂରରେ ରହି,
ସ୍ୱଚ୍ଛ ମୁକୁରଟି ଶତ ପ୍ରତିଶତ
ସତଏକା ଅଛି ରହି । [୬]
ସତ୍ୟ ସନାତନ, ସତ୍ୟ ସୂର୍ଯ୍ୟ ଚନ୍ଦ୍ର,
ସତ୍ୟ ଆମ ବସୁମତୀ,
ଅନିତ୍ୟ ସଂସାରେ ସତ୍ୟ ସନ୍ଧାନରେ
ଆସ ହେବା ଆମେ ବ୍ରତୀ । [୭]
ନୀଚ ମନୋବୃତ୍ତି, ବୃଥା ଅହଂକାର,
ଯଶ, ଖ୍ୟାତି, ସ୍ଥିତି ପାଇଁ,
ସତକୁ ଘୋଡେଇ, ସତଠୁ ଦୂରେଇ
ନିଜକୁ ଠକିବା ନାହିଁ । [୮]