ସ୍ତମ୍ଭିଭୂତ ମଳୟ ପବନ
ସ୍ତମ୍ଭିଭୂତ ମଳୟ ପବନ
ସ୍ତମ୍ଭିଭୁତ ମଳୟ ପବନ
ଉଦାରତା ଆଉ ବିଶ୍ବାସର
ରୋଷଣୀ ରେ ଆଲୋକିତ
ଦୀପ୍ତିମନ୍ତ ତୁମ ଆଗମନେ
ସ୍ମୃତିର ପ୍ରତୀକ ସାଜି
ଛାଇ ଆଲୁଅର ଲୁଚକାଳି ଖେଳ
ଝଲସାଇ ଆଖିକୁ ।
ଭାବିଥିଲି
ତୃପ୍ତି ମୋର ହାତ ପାଆନ୍ତାରେ
ହେଲେ ହେଉପଛେ,
ଆମ ସମ୍ପର୍କ ଅଳ୍ପାୟୁ
ସୁପ୍ତ ଭାବନାରେ ନିରବ ବିଜନେ
ମନେ ମନେ ମୁଁ ଥିଲି ସମର୍ପିତା
ରାଧିକା ଅଭିସାରିକା
ଅଜାଡି ଦେଇଣ ଅଶେଷ ପ୍ରେମର ମଲ୍ହାର
ପ୍ରୀତିପାର୍ବଣ ର ସମ୍ମୋହନ ରେ
ପୂର୍ଣ୍ଣତା ଆଡକୁ
ସସୀମ ମଧ୍ୟରେ ଖୋଜିବା ପ୍ରୟାସ ।
ଦିନେ ତୁମେ
ଶବ୍ଦ ଯୋଜନାରେ ପ୍ରାଣବନ୍ତ କରିଗଲ
ପ୍ରେମର ସୁଷମା କୁ ଉପମାରେ ଭରି
ପ୍ରୀତିର କବିତା ରଚିଲ
ଅନ୍ତର୍ମୁଖୀ ଥିଲା ତାହା
ସସୀମରେ ଅସୀମତା ଭାବ
ମୁଁ ଥିଲି ଚନ୍ଦ୍ରିକା ଆଉ
କେବେ ସୁନାୟନା
ତୁମ କଳ୍ପନା ଭିତରେ
ଚାହିଁଥିଲ ଉଦାସୀ ନୟନେ
ଝରୁଥିଲା ଅମୃତର ଝର
ସ୍ୱପ୍ନର ଅସହ୍ୟ ତାତିରେ ।
ମୋର ଶାନ୍ତ ନୀରବତା
ନୁହେଁ କେବେ ପ୍ରତାରଣା
ତୁମ ପାଇଁ ରହିଗଲା
କିଛି ଅକୁହା କଥା,
ଚାହିଁଲେ ବି କହିପାରେନି
ହୃଦୟର ବ୍ୟଥା
ପରସ୍ପର ହୃଦୟରେ ବଞ୍ଚିବାକୁ
ବୋଧହୁଏ ସ୍ମୃତିହିଁ ଯଥେଷ୍ଟ
ସ୍ବପ୍ନମୟ ଜୀବନର ପଥେ ।
ସବୁ ଭଲପାଇବା ର ମାନେନୁହେଁ
ସ୍ୱାର୍ଥର ବନ୍ଧନ,
ଏମିତିବି ଆମ ପ୍ରୀତିର ସମ୍ପର୍କ
ଆଦୋୖନୁହେଁ ଅକାରଣ,
ହୁଏତ ତୁମ ଭଲ ପାଇଁ
ମତେ ଭୁଲିବାକୁ ହେବ ସବୁକିଛି
ଏ ଦୂରତା ର ମାନେ
ନିଶ୍ଚେ ହୋଇଥିବ ଆଉକିଛି ।
ଆଜି ସମ୍ପର୍କର ସୂକ୍ଷ୍ମ ସମ୍ମୋହନ
ସ୍ତମ୍ଭିଭୁତ ମଳୟ ପବନ
ଭାବ ଥରେ ନିଜକୁ ନିରେଖି
ନିଶ୍ଚୟ ବୁଝିବ ମୋ ଶାନ୍ତ ନୀରବତା
ମୂର୍ଛିତ ଆବେଗରେ
ନିରବ ନିର୍ଜନ ରାତି ପାହାନ୍ତାରେ
ପ୍ରତୀକ୍ଷାରତ ଏ ଉଦାସୀ ପ୍ରାଣଟି
ତଥାପି ଚାହୁଁଛି
ମନଦର୍ପଣ ରେ ଲାଗିଯାଅ
ଛବିଟିଏ ହୋଇ,
ହେଉ ପଛେ ସୀମିତ ସମୟ ।
