STORYMIRROR

Hrushikesh Satpathy

Romance Others

3  

Hrushikesh Satpathy

Romance Others

ସ୍ତିମିତ ସ୍ବପ୍ନଗୁଚ୍ଛ

ସ୍ତିମିତ ସ୍ବପ୍ନଗୁଚ୍ଛ

1 min
279

ଏମିତି 

ହୁଅନ୍ତା କି ?

ତୁମେ ଆଉ ମୁଁ

ଫେରିଯା'ନ୍ତେ ଆମ 

ସେଇ ଦୁଷ୍ପରିହର 

ବାଲ୍ୟକାଳକୁ !


ମାନୁଛି...

ମୁଁ ଆଉ ତୁମେ

ଭିନ୍ନ ଭିନ୍ନ ବର୍ତ୍ମ ବଳୟରେ

ଭିନ୍ନ ଭିନ୍ନ ଆମରି ଗାଁ 

ଭିନ୍ନ ଭିନ୍ନ ଆମରି ସ୍ୱାଧିକାର

ଆଉ ସ୍ବାଧୀନତାର ସ୍ୱର

କିନ୍ତୁ,କାହାରି ଅନୁକ୍ରୋଶର ବାହାରେ,

ଅଭିନ୍ନ ତା' ଅନ୍ତଃସ୍ୱର !!


ମନରେ ....

ଗୁଣୁ ଗୁଣୁ ,

ଗୁମୁରା ଘୁମୁରା ଗୀତି

ବହଳ ବହଳ ବାସ୍ନା ବିକିରଣ,

ବିକ୍ଷିପ୍ତ, ଅଥଚ ସଂଯତ,ସଂଯମ !

ସ୍ତିମିତ ସ୍ତୁତିରେ ତୁମ

ସ୍ଥିତପ୍ରଜ୍ଞ ମୋର ଶବ୍ଦସ୍ତୋମ !

ସାତ୍ତ୍ଵିକ ସାଧନା ତୁମ

ସାଦର ସମ୍ଭାଷଣର ଭବ୍ୟ ଅଭ୍ୟର୍ଥନା !


ସେଇ...

ପେନ୍ଥା ପେନ୍ଥା

ଶବ୍ଦସ୍ତୋମର ବର୍ଣ୍ଣମାଳାକୁ ,

ଆମେ ଦେଇ ତ ପାରନ୍ତେ

ଆମ କଳ୍ପନାର ସଦ୍ୟ ସତ୍ୟ 

ପ୍ରାଣପ୍ରତିଷ୍ଠାର ମନ୍ତ୍ର

କିଛିଟା ମୁହୂର୍ତ୍ତ ପାଇଁ

ଆମ ବାଲିଘର 

ପଠାର ପୃଷ୍ଠାରେ !!


ସତେତ...

ଆମ ବାଲିଘର ନୁହେଁ ତ୍ରସ୍ନ

ବରଂ ଏକ ନିବିଡ଼,ନିବିଷ୍ଟ 

ସ୍ବପ୍ନଶୀଳ ସୌକର୍ଯ୍ୟ ନିବେଶ !

ଶିଳ୍ପୀ ,ସ୍ୱୟଂ ବିସ୍ତୀର୍ଣ୍ଣ ହୃଦୟ ,

ସ୍ୱୟଂ, ତୁମ ନିର୍ବାକ ଯନ୍ତ୍ରଣା

ଅବ୍ୟକ୍ତ ଆକର୍ଷଣର ଧୈବତ ଧ୍ରୁପଦ,

ଆତ୍ମୀୟତାର ଅସୀମ ଐଶ୍ୱର୍ଯ୍ୟ !!!


ରହିଥିବ 

ତା'ର ଚିର ସୌଖ୍ୟ

ସୌକୁମାର୍ଯ୍ୟ,

ସୌଜନ୍ୟ 

ସୌଭାଗ୍ୟ ନେଇ,

ସ୍ମୃତିର ଧାରେ ଧାରେ

ଆର ଜନ୍ମ ଅପେକ୍ଷାରେ !!


ସେଦିନ...

ଅଳ୍ପ ଅଳ୍ପ ମୁହୂର୍ତ୍ତର

ସ୍ୱଳ୍ପ ସ୍ୱଳ୍ପ ଵାକ୍ୟାଳାପ ହୋଇ

ମନର ଅଜ୍ଞାତ ଅସ୍ତିତ୍ୱ,

ଅଜାଣତ ପ୍ରତିକ୍ରିୟାର 

ଜୀବନ୍ତ ଶବ୍ଦ କେଇଟା

ବାହାରି ଯାଇଥିଲା

ଆଗାମୀ ସମ୍ପର୍କର 

ବକ୍ତବ୍ୟର ରୂପ ନେଇ !!!


କିନ୍ତୁ,

ମୁଁ ପରା

ସମୟର ଆକ୍ରୋଶ,

ପରମ୍ପରାର ଚକ୍ରବ୍ୟୁହରେ 

ଥିବା, ଅଭିଶପ୍ତ ଅଭିମନ୍ୟୁ !

ବାହାରେ ଲକ୍ଷ୍ମଣ ରେଖା,

ବଳିଷ୍ଠ ଓ ସିଦ୍ଧାନ୍ତର ତିନି ଗାର !!!


ତୁମେ ,ତୁମେ

ଆଉ ମୁଁ, ମୁଁ

ନିରୁପାୟ,ଅସହାୟ

ଅସମ୍ୟକ୍,ଅସଂଲଗ୍ନ

ଶ୍ଳିଷ୍ଟ ତୁମ 

ଶବ୍ଦରେ ଶବ୍ଦରେ

ନିର୍ବାକ୍,ନିସ୍ପନ୍ଦ

ଅବଶ ମୋ' 

ଆତ୍ମିକ ପ୍ରକ୍ରିୟା ।

ତୁମେ ତ ନୀଳାକାଶର ସମ୍ପତ୍ତି

ଅପରାଧୀ ହେବି ବା କେମିତି ?

ବରଂ,ରହିଯିବି 

ହୋଇ ମୁଁ ଅଥର୍ବ !


ତଥାପି,

ପ୍ରେମ ଯେ ପର୍ଯ୍ୟାପ୍ତ, 

ଇତିବୃତ୍ତର ବାହାରେ

ମୁଁ କହୁନି

ପ୍ରାଚୀନ ପୁରାଣ କୁହେ !

ଶ୍ରୀ ରାଧା,ଶ୍ରୀ କୃଷ୍ଣ,ଆଉ

ଚନ୍ଦ୍ରସେଣାଙ୍କର ଚର୍ଚ୍ଚିତ ଆଖ୍ୟାନ ।


ଆମେ 

ସ୍ଥିତପ୍ରଜ୍ଞ

ସ୍ବପ୍ନ ଦେଖିବା 

ସେଇ ପୁନର୍ଜନ୍ମକୁ

ନାଫେରିଯିବା ବାଲ୍ୟକାଳକୁ ?

ସେଇ ବାଲିଘରେ

ହଜି ଯିବାକୁ ?


ସଂଳାପ,

ବିଳାପ ନୁହେଁ

ବରଂ ବାର୍ତ୍ତାଳାପ

ବ୍ୟକ୍ତି ଆଉ ବ୍ୟକ୍ତିତ୍ୱର,

ସ୍ଥିତି ଆଉ ସ୍ଥାୟିତ୍ୱର

ସଂସ୍କାର ଆଉ ପରମ୍ପରାର,

ବିବାଦ ହେଉ,ଅବା ନିର୍ବିବାଦ

ଏକ ଅନିବାର୍ଯ୍ୟ ପ୍ରଶ୍ନବାଚୀ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance