ସତ୍ ପାତ୍ର
ସତ୍ ପାତ୍ର
ଷଠିଘର ଠାରୁ ଶମଶାନ ଯାଏଁ
ଜୀବନଟା ଶିକ୍ଷାଳୟ ,
ବଉଦ୍ଧିକ ନଇତିକ ଉତ୍ଥାପନେ
ଗୁରୁ ହୁଅନ୍ତି ସହାୟ । [୧]
ସତ୍ ପାତ୍ରଟିଏ ସେହି ଗୁରୁ କୃପା
ପାଇବାର ଅଧିକାରୀ ,
କୁପାତ୍ରରେ ଦାନ ଅଯୋଗ୍ୟ ଘୋଷିତ
ଦୁର୍ଭାଗ୍ୟକୁ ନିଏ ବରି । [୨]
ଜ୍ଞାନ, ପୂଣ୍ୟ-ଧନ ଅରଜନେ ନର
ଜୀବନଟି ଅନୁପମ,
ଦାତାଠୁ ଗ୍ରହୀତା ଅବଦାନ କିନ୍ତୁ
ହୋଇଥାଏ ଶ୍ରେଷ୍ଠତମ । [୩]
ଘଡାର ମୁହଁକୁ ଓଲଟା ଉଗାଡି
ଢାଳୁଥିଲେ ଯେତେ ଜଳ,
ଘଡା ପୂରେନାହିଁ, ପାଣି ଯାଏ ବୋହି
ପ୍ରଚେଷ୍ଟା ସବୁ ବିଫଳ । [୪]
'ମା'
କାଳୀଠୁ ଜ୍ଞାନ, ଭକତି, ବୈରାଗ୍ୟ,
ନ ଇଚ୍ଛିଥିଲେ ନରେନ୍ଦ୍ର,
ଗୁରୁ ରାମକୃଷ୍ଣ ଦେଇଥାଆନ୍ତେ କି
ଶ୍ରେଷ୍ଠ ସନ୍ୟାସୀର ମନ୍ତ୍ର ? [୫]
ଗୁରୁ ରାମଦାସ ଆଦେଶରେ ବନୁ
ଆଣି, ସିଂହୁଣୀର ଦୁଧ,
ଦୁର୍ଦ୍ଦଷ ବୀର ସେ ଶିବାଜୀ ପିନ୍ଧିଲେ
ଛତ୍ରପତିର ମୁକୁଟ । [୬]
ଗୁରୁଙ୍କ ମହତ୍ତ୍ଵ ଠାରୁ ଗରୀୟାନ
ଶ୍ରଦ୍ଧା ଭାବନା ଶିଷ୍ୟର ,
ପାଇ ହତାଦର ଏକଲବ୍ୟ ହେଲେ
ଉଚ୍ଚ କୋଟି ଧନୁର୍ଦ୍ଧର । [୭]
ସାଧନାରେ ସଫଳତା ଲାଭ ପାଇଁ
ପ୍ରୟାସ ରଖିବା ଜାରି ,
ନିଜକୁ ପ୍ରଥମେ ଗ୍ରହଣୀୟଶୀଳ
ସତ୍ ପାତ୍ରଟିଏ କରି । [୮]