ଷଣ୍ଢ ଲଢେଇ
ଷଣ୍ଢ ଲଢେଇ
(ରମ୍ୟ ରଚନା)
ମାଆ ପେଟରୁ ଜଟ ଆଣିଛି
ତେଣୁ ମୁଁ ସିନା ଷଣ୍ଢ,
ନାହିଁ ତୋ ଜଟ ତୁ ଅଜଟିଆ
କରୁଛୁ ଏତେ କାଣ୍ଡ।
ଏମିତି ଜଟ ନ ଥିବା ଷଣ୍ଢ
ପ୍ରବଳ ହୋଇଲଣି,
ଛକ ବଜାର ରାସ୍ତା ଘାଟରେ
ଭିଡ଼ ଜମେଇଲଣି।
ରାସ୍ତା ମଝିରେ କେତେକ ଠିଆ
କେତେକ ଶୋଇଥିବ,
ତୁମ ଦେହରେ ଗାଡ଼ି ବାଡ଼େଇ
ମଣିଷ ପ୍ରାଣ ଦେବ।
ବେଳେ ବେଳେ ବି ଷଣ୍ଢଟି ମରେ
ଟୋକାଙ୍କ ଭାଗ୍ୟ ଖୋଲେ,
ଧଳା ଲୁଗାଟା ଘୋଡେ଼ଇ ଦେଇ
ପଇସା ମଗା ଚାଲେ।
ଶାନ୍ତିରେ ହାଟ କରିହେଉନି
ଷଣ୍ଢ ଯେ ମାଳମାଳ,
ଘଷି ହୁଅନ୍ତି ୟା ତା' ଦେହେ
ଗୋବର ଠୁଳଠୁଳ।
ତମେ ଯେତେକ ଦେଶୀ କି ଜର୍ସି
ଭଗାରୀ ସାଜିଲଣି।
ଆମେ ପ୍ରକୃତ ଷଣ୍ଢ କେଇଟା
ଓପାସେ ମରିଲୁଣି।
ତମେ ଖାଇବ ଫସଲ ଯେତେ
ଆମେ ଖାଇବୁ ମାଡ଼,
ତମେ ଖାଇକି ଚିକଣା କିନ୍ତୁ
ଫାଟୁଆ ଆମ ଗୋଡ଼।
ଜଟ ନ ଥିବା ଷଣ୍ଢ କହୁଛି
ଶୁଣ ଜଟିଆ ଷଣ୍ଢ,
ଆମକୁ ଆଉ ରଖୁନାହାଁନ୍ତି
ଗୁହାଳେ ଚାଷୀବୃନ୍ଦ।
ବାଛୁରୀଟିଏ ଅଣ୍ଡିରା ଦେଖି
ଚାଷୀ ଟେକୁଛି ନାକ,
କ୍ଷୀର ଛାଡିଲେ ବାହାରେ ଛାଡେ
ପଛରୁ ମାରି ଛାଟ।
ମାଈ ବାଛୁରୀ ଆଦର ତାର
ପଇସା ଦରକାର,
ଅଣ୍ଡିରା ଆଉ ହଳ କରୁନି
କରୁଛି ଟ୍ରାକଟର।
ନାରୀ ଶକତି ମିଶନ ଶକ୍ତି
ଦେଖାଏ କରାମତି,
ଆମେ କେଇଟା ଅଜଟା ଷଣ୍ଢ
ବୁଲୁଛୁ ଏଠି ସେଠି।
ଆମର ସିନା ନାହିଁ ତ ଜଟ
ଆମେ କରିବୁ ନାଟ,
ତୁମେ ଯେତେକ ଜଟିଆ ଷଣ୍ଢ
ଆମ ପାଦରେ ଖଟ।
ଆମେ ଶାସନ କରୁଛୁ ଏଠି
ତୁମେ ଖଟିବ ବେଠି,
ଜଟିଆ ଷଣ୍ଢ ଅଛ ଯେତେକ
ତୁମେ ଆମର ଆଣ୍ଟି।
ଏଇ ରାଇଜ ଆମର ସିନା
ଆମେ ଚରିବୁ ସବୁ,
ତୁମ ମୁଣ୍ଡରେ ଅଠା ବୋଳିବୁ
ତୁ ଅନେଇ ଥିବୁ।
ଆମେ କରିବୁ ଦୁଷ୍କର୍ମ ଯେତେ
ତୁମେ ହୋଇବ ଦୋଷୀ,
ଆମେ ଖାଇବୁ ଛପନ ଭୋଗ
ତୁମେ ଖାଇବ ବାସୀ।
ଏକଥା ଶୁଣି ଜଟିଆ ଷଣ୍ଢ
ରାଗରେ ଜଳି ଗଲା,
ଖୁରା ଉଠାଇ ଶିଙ୍ଗାରି ହୋଇ
ହାକୁଡି ମାରିଦେଲା।
କହିଲା ଆଜି ତୋହର ମୋର
ଲାଗୁ ଏଠାରେ ଯୁଦ୍ଧ,
ତୁ ଯଦି ଯିତିଯିବୁ ଭାଇରେ
ଧରିବି ତୋର ପାଦ।
ହେଲା ଲଢେଇ ଛକ ଉପରେ
ଗୋଟିଏ ଓଳି ଧରି,
ଷଣ୍ଢ ଲଢେଇ ଦେଖିବା ପାଇଁ
ଲୋକ ହୋଇଲେ ମେଳି।
ହାକୁଡି ମାଡ଼ି ମାଟିକୁ ତାଡ଼ି
ଖୁରାକୁ କଷି ଭିଡ଼ି,
ଜଟିଆ ଅଜଟିଆ ଷଣ୍ଢଙ୍କ
ଚାଲେ ଲଢେଇ ଭାରି।
ଇଏ ଭୁଷୁଛି ଶିଙ୍ଗରେ ତାକୁ
ସିଏ ଭୁଷୁଛି ୟାକୁ,
ଏ ଥୋଡା ବାଟ ପେଲି ନେଉଛି
ସେ ପେଲୁଛି ତାକୁ।
ଶିଙ୍ଗ ଭାଙ୍ଗିକି ରକ୍ତ ବାହାରେ
ଉଭୟେ ନାକେଦମ,
ପାନ ଦୋକାନ କେବିନ୍ ଦି'ଟା
ଓଲଟିଗଲା ଆମ।
ହୋ ହାଲ୍ଲାରେ ଛକ ଜମୁଛି
ରାସ୍ତା ହୋଇଛି ଭିଡ଼,
ଗାଡ଼ି ମଟର ଅଟକି ଯାଏ
ଷଣ୍ଢଙ୍କୁ ଢେଲା ମାଡ଼।
ଶେଷରେ ଅଜଟିଆ ଷଣ୍ଢଟା
ତଳେ ତ ଗଲା ପଡ଼ି,
ଜଟିଆ ଷଣ୍ଢ ଶିବ ଭକତ
ଚାଲିଲା ତାକୁ ମାରି।
ଶୁଭିଲା ଗଁ ଗଁ ଶବଦ
ହାରିଲା ଅଜଟିଆ,
ଜଟିଆ ଷଣ୍ଢ ମନ ଖୋଲିକି
ହସିଲା ହାଃ ହାଃ।
