ସରସ୍ଵତୀ ବନ୍ଦନା
ସରସ୍ଵତୀ ବନ୍ଦନା
ଆସ ଗୋ ଜନନୀ ! ବିଦ୍ୟା ପ୍ରଦାୟିନୀ !
ଆଜିର ଏ ଶୁଭ ଦିନେ,
ଅପସରି ଯାଉ ଅଜ୍ଞାନ-ଜଡତା
ତୁମରି କରୁଣା ଦାନେ ।
ଘୋର ଅନ୍ଧାରରେ ବସିଅଛୁ ମାଆ !
ତୁମରି କରୁଣା ବିନା,
ଜ୍ଞାନାଲୋକ ଟିକେ ଦିଅ ହେ ଜନନୀ !
ଜଗାଇଦିଅ ଚେତନା ।
ତୁମ କୃପା ବିନା ଧିକ ଏ ଜୀବନ
ତୁଚ୍ଛ ସକଳ ଗୁଣ,
ବରଦା ! ଶାରଦା ! ଦିଅ କୃପା ବାରି
ପୂର୍ଣ୍ଣ ହେଉ ଏ ପ୍ରାଣ ।
ବାଜିଉଠୁ ବୀଣା - ଜ୍ଞାନର ସଙ୍ଗୀତ
ସଞ୍ଚରିଯାଉ ହେ ମାତା !
ସକଳ ଅବିଦ୍ୟା ନାଶ ହେ ଜନନୀ
ତୁଟିଯାଉ ଏ ଜଡତା ।
ଜ୍ଞାନଗୁଣେ ଶ୍ରେଷ୍ଠ ହେଉ ମୋର ଦେଶ
ପୂରୁବ ଗୈାରବ ଫେରୁ ,
ବିଶ୍ଵକୁ ଆଲୋକ ଦେଖାଉ ଭାରତ
ସଭିଙ୍କର ହେଉ ଗୁରୁ ।
ଜ୍ଞାନଗାରିମାର ଆଶିଷ ଦିଅ ମା !
ତୁଟିଯାଉ ସବୁ ଭ୍ରାନ୍ତି,
"ଭାରତୀ"ଙ୍କ ବୀଣା ଭାରତରେ ବାଜୁ
ଭରିଯାଉ ସୁଖ, ଶାନ୍ତି ।
କୋଟିଏ ପ୍ରଣାମ ଶ୍ରୀଚରଣେ ମାତଃ
ଏତିକି କରୁଣା ହେଉ,
ସାରା ବିଶ୍ବରେ ମୋ ଦେଶର ଯଶ
କାଳ କାଳ ପାଇଁ ଥାଉ ।