ସଡ଼ନ ମଡ଼ର୍ଣ୍ଣ
ସଡ଼ନ ମଡ଼ର୍ଣ୍ଣ
ବ୍ୟଙ୍ଗକବିତା
ଯେଉଁ ଶ୍ଳୋକ-ମନ୍ତ୍ର ବୁଝିହୁଏ ନାହିଁ ତାକୁ କରୁ ବେଶି ଆଦର,
ଯେଉଁ ଗୀତଟିକୁ ଶୁଣିହୁଏ ନାହିଁ କହିଦେଉ ଭାରି ସୁନ୍ଦର ।
ଯେଉଁ ଚିତ୍ରଦେଖି ଚିହ୍ନି ହୁଏନାହିଁ ସିଏ ତ ସବୁଠୁଁ ବଢିଆ,
କରମଙ୍ଗା ଫଳ ମିଠା ଲାଗେ ପୁଣି ପିତା ଲାଗୁଥାଏ ନଡ଼ିଆ ।
ସିନେମା ତାରକା ମଡ଼େଲ ଆମର ତାଙ୍କପାଇଁ ହୁଏ ମନ୍ଦିର,
ଭିଡ଼ ଲାଗିଥାଏ ଅଧିକ ପଇସା ନେଉଥାଏ ଯେଉଁ ଡାକ୍ତର ।
ଝିଅ-ବୋହୂ ଏବେ ନାଚନ୍ତି ଦାଣ୍ଡରେ ବରଯାତ୍ରୀ ହେଇ ଯାଆନ୍ତି,
ବାଜାବାଲା ସହ ଗାୟକ-ଗାୟିକା ଚଉକିରେ ବସି ଗାଆନ୍ତି ।
ବିଦେଶୀ ଚିଜର ଚାହିଦା ବହୁତ ପିଠା-ପଣା ଆଉ ଚାଲୁନି,
ବାବା-ମାତା ପୂଜା ପାଆନ୍ତି ଅଧିକ ମାଆ ଖାଏ ମାଡ଼ କହୁଣୀ ।
ଗୋମାତା ପଛକେ ମରୁ ଉପାସରେ କୁକୁର ହଗେଇ ନେଉଛୁ,
ନିଜର ସଂସ୍କୃତି ଗନ୍ଧାଏ ଆମକୁ ସଡ଼ନ ମଡର୍ଣ୍ଣ ହେଇଛୁ । ।
