ସରିତ ଯାଉଛି ବୟସ ମୋହର
ସରିତ ଯାଉଛି ବୟସ ମୋହର


ତନୁ ହୋଇଯାଏ କ୍ଷୀଣ,
କେଶ ବାସ ସବୁ ଶୁକ୍ଳ ହୋଇଲାଣି
ଆହେ ପ୍ରଭୁ ଜନାର୍ଦ୍ଧନ । ।
ବାର୍ଦ୍ଧକ୍ୟ ସାଜଇ ବୟସର ଦାଉ
ଦୁଃଖ ଯାଏ ବଢ଼ି ବଢ଼ି,
ଦୃଷ୍ଟିଶକ୍ତି ନାହିଁ ଅନ୍ଧ ପ୍ରାୟ ମୁହିଁ
ନିତି ପଥ ଯାଏ ହୁଡି । ।
ମେରୁଦଣ୍ଡ ହାଡ ବଙ୍କା ହୋଇଲାଣି
ବକ୍ର ହୋଇ ଲାଣି ଅଣ୍ଟା,
ସଳଖ ଭାବରେ ଛିଡା ମୁଁ ହେଉନି
ସଂସାରେ ଥିବି କି କଣ୍ଟା । ।
ସଂସାର ଜଞ୍ଜାଳ ଏ ସମୟେ ମୋତେ
କଳ ବଳ କରି ମାରେ,
ଜ୍ଞାତି କୁଟୁମ୍ବଙ୍କ ବୋଝ ମୁଁ ଅଟଇ
ଏବେଳେ କି କରିପାରେ । ।
ଭାଗ୍ୟ ହେଲା ମନ୍ଦ ମୋ ପ୍ରାରବ୍ଧ କର୍ମ-
କଳା ଫଳ ଭୋଗୁ ଅଛି,
ତୁମେତ ଜାଣିଛ ସବୁ ହେ ଶ୍ରୀହରି
ଆଉ କିବା ବାକି ଅଛି ।।
ଲୋଡ଼ା ନାହିଁ ମୋର ସ୍ଵର୍ଗ ସୁଖ ଭାର
କେବଳ ଶ୍ରୀପଦେ ଆଶା,
ତୋଲି ନିଅବାରେ ଏ ଅଧମେ ଥରେ
ପୂର୍ଣ୍ଣ ହେଉ ମୋର ଆଶା ।।