ସରାଗ ଯଦି ଥାଏ
ସରାଗ ଯଦି ଥାଏ
ସରାଗ ଯଦି ଥାଏଟି ମନରେ
ବନ୍ଧୁ ଆସି ଯାଏ ଘରେ
ସ୍ନେହ ମମତାରେ ଘର ହସୁଥାଏ
ଖୁସି ଝରେ ଅନ୍ତରରେ ।
ମନେ ଥିବା ରାଗ ରୁଷା ଅଭିମାନ
ଅପସରି ଯାଏ ଧିରେ
ସେଇ ମୁହୂର୍ତ୍ତଟା ଭୁଲି ତ ହୁଏନି
ରହିଯାଏ ମାନସରେ ।
କେତେ ଆଣେ ସ୍ମୃତି କେତେ ଅନୁଭୂତି
ସିଏ ଆଖି ପଲକରେ
କେତେ ମଜା ଆସେ ଥଟ୍ଟା ତମସାରେ
ବର୍ଣ୍ଣନା କେ କରି ପାରେ ?
ତାହାରି ଭିତରେ ଚିଡି ଚିଡା ହେଲେ
ବିରକ୍ତି ଆସେ ମନରେ
ସେ ବିରକ୍ତି ଭାବ ମଉଳି ଯାଅଇ
ପୁଣି କିଛି କ୍ଷଣିକରେ ।
ରୋଷେଇ ସାରନ୍ତି ମିଳିମିଶି ସିଏ
ଥଟ୍ଟା ମଜା ତାମସାରେ
ନିଆରା ଅଟଇ ସେଇ ଅନୁଭୂତି
ତାକୁ କିଏ ଭୁଲି ପାରେ ?
ଏକାଠି ବସିବା ଏକାଠି ଖାଇବା
ଖୁସି ଆସେ ବାଢିବାରେ
ପରଶିବା ବେଳ ସେଇ ଅନୁଭୂତି
ରହେ ସେ ଦୃଶ୍ୟପଟରେ ।
ଗପସପ ବେଳେ କହନ୍ତି ସଧୀରେ
ଦୋଷ ଧରିବନି ବାରେ
ଏବେ ବନ୍ଧୁ ମୋତେ ବିଦାୟ ନେଇଣ
ଯିବାକୁ ପଡିବ ଘରେ ।
ବିଦାୟ ବେଳାର ସ୍ନେହ ସରାଗଟି
ଆଖିରୁ ଲୋତକ ଝରେ
ଆଉ ଥରେ ବନ୍ଧୁ ଆସିବ ଘରକୁ
କହେ ବଡ ସରାଗରେ ।