STORYMIRROR

Arundhati Jena

Inspirational

3  

Arundhati Jena

Inspirational

ସ୍ପର୍ଶ

ସ୍ପର୍ଶ

1 min
227


ଲେଖନୀ ସ୍ପର୍ଶର ଉଷ୍ମ ଅନୁଭବ

      ନିଃସନ୍ଦେହେ ଯେବେ ଯାଏ ଝରି

ଶବ୍ଦମାଳା ସବୁ ବିଭୋର ହୁଅନ୍ତି

       ବାଜେ ଆନନ୍ଦର ତୁରୀ।


ଲେଖକ ମନର ଅଫୁରନ୍ତ ଖୁସି

      ଆଙ୍କେ ଇନ୍ଦ୍ରଧନୁ ଜୀବନ ରେ

ନିଜ ସୃଜନୀର ସଂରଚନା କରି

     ଆତ୍ମହରା ସିଏ ହୋଇପଡେ। 


ଲେଖା ଯେବେ ତା'ର ପ୍ରଶଂସା ସାଉଁଟେ

        ଛାତି କୁଣ୍ଢେମୋଟ ହେଇଯାଏ

ଭାବନାରେ ତା'ର ଚଇତାଳି ପିଟେ

        ମାଇସଞ୍ଜ ନଇଁ ଆସୁଥାଏ।


ଅର୍ଥ ଲାସାରେ ଅନ୍ଧ ସେ ନୁହଁଇ

        ମନ ତା'ର ଖାଲି ଶାନ୍ତି ଚାହେଁ

ନିଜ ହାତ ଲେଖା ପାପୁଲିରେ ଧରି

        ଭାରି ଖୁସି ସିଏ ହେଉଥାଏ।


କେବେ କେବେ ଯଦି ନିନ୍ଦା ଅପବାଦ

       ଲେଖନୀ ଲେଖା କୁ ତା'ର ମିଳେ

ବିଚରା ସେ କେତେ ଭାଳି ହେଉଥାଏ

      ତଥାପି ସେ ପୁଣି ଲେଖିଚାଲେ ।


ଅଜବ ରାସ୍ତାର ଭିନ୍ନ ମଣିଷ ସେ

        ଲେଖିବା ଯାହାର ନିଶା

ଶୟନେ, ସପନେ, ଜାଗରଣେ ସିଏ

        ଲେଖିବା ପାଇଁ କି ଆଶା।


ଶବ୍ଦମାନଙ୍କର କୋଳାହଳ ଶୁଣି

      ଲେଖନୀ ଅଥୟ ହୁଏ

ଲେଖା ଯେବେ ତା'ର ନୂଆ ଅବୟବେ

      ଭିନ୍ନ ପରିଚୟ ପାଏ।


ଲେଖନୀ ଚାଳନା ଅବିରତ ଚାଲୁ

       ମାଆ ବାଗ୍ଦେବୀଙ୍କ କରୁଣାରେ

ପ୍ରଶଂସାର ଫୁଲ ସାଉଁଟି ସର୍ବଦା

       ଲାଗୁ ଲେଖା ଜନକଲ୍ୟାଣରେ ।


ଲେଖନୀ ସ୍ପର୍ଶର ଉଷ୍ମ ଅନୁଭବ

      ନିଃସନ୍ଦେହେ ଯେବେ ଯାଏ ଝରି

ଶବ୍ଦମାଳା ସବୁ ବିଭୋର ହୁଅନ୍ତି

       ବାଜେ ଆନନ୍ଦର ତୁରୀ । 



Rate this content
Log in

Similar oriya poem from Inspirational