ସ୍ପନ୍ଦନ
ସ୍ପନ୍ଦନ
ହୃଦୟର ପ୍ରତି ଟି ସ୍ପନ୍ଦନେ
ଆଜି ଶୁଭୁଛି ତୁମ ଗୀତ
ଝଙ୍କୃତ ହେଉଛି ପୁଣି
ସେ ପ୍ରୀତି ସଂଗୀତ
ମନ ଆଇନା ରେ ଆଜି ଝଟକେ ସେ ଛବି
କଥା କୁହା ଆଖି ପୁଣି ଚାହାଣି ତ କବି
ଆଖିର ଆଇନା ଆଜି ମିଛ କି କହୁଛି
ସେ ଚାହାଣି ଭିତରେ ତ କାହାଣୀ ରହିଛି
ଅନେକ ଅକୁହା କଥା କହିବାକୁ ଅଛି
ଜୀବନର ହସ ଲୁହ ସବୁ ମିଶିଅଛି
ଦରଦୀ ବନ୍ଧୁଟେ ବୋଲି ହୃଦୟ ମାନୁଛି
ବ୍ୟଥା, ବେଦନାର ଗୀତ ଆଖିରେ ଲୁଚିଛି
ସ୍ମୃତି ର ଲୁହ ଆଜି ସାଇତି ରଖିଛି
ହୃଦ କାଗଜ ସେହି ସ୍ମୃତିକୁ ଲେଖିଛି
ଜାଣେନା ସେ ଗୀତ କାହିଁ ଅଲୋଡ଼ା ହେଇଛି
ଜୀବନ ର ଚଲାପଥେ ପଥ ହୁଡ଼ି ଆଜି
ଲୁହ ଦରିଆ ରେ ଆଜି ନିଜେ ମୁଁ ଭାସୁଛି
ଆଶା ସବୁ ଲୀନ ହେଇ ସାଗରେ ମିଶିଲା
କୋହ ସବୁ ହୃଦୟରେ ଚାପି ହୋଇଗଲା
ଜୀବନ ର ସଞ୍ଜ ଆସି ଉପନୀତ ହେଲା
ପ୍ରେମ, ପ୍ରତାରଣା ସବୁ ଏକା ହୋଇଗଲା
ସଞ୍ଜ ସଳିତା ପରି ସେ ଖାଲି ଜଳୁଥିଲା
ଆଶାର ଫୁଲ ମଉଳି ଲୀନ ହୋଇଗଲା
ଜୀବନ ସଞ୍ଜ ରେ ସବୁ କାହାଣୀ ସରିଲା
ସମ୍ପର୍କ ର ସେତୁ ପୁଣି ଆଜି ଭାଙ୍ଗି ଗଲା
ତୁଚ୍ଛ ପୁଣି ମନ ର ସେ ଭାବନା ହଜିଲା
ଅନନ୍ତ ଆକାଶ ତଳେ ଲୀନ ହୋଇଗଲା
ମାୟା,ମୋହ,ସମ୍ପର୍କ ଯେ ଛିନ୍ନ ହୋଇଗଲା l
