ସପନ ବଣିକ
ସପନ ବଣିକ
ଭଲ ପାଇବାର ପ୍ରତିଦାନ କିଛି
ମାଗି ତ ନଥିଲି ଦିନେ
ଖାଲି ଯାହା ତୁମ ଛବିଟିକୁ ସଖୀ
ସାଇତିଥିଲି ମୁଁ ମନେ I
ଆଖିତଳେ ମୋର ପ୍ରୀତିର ମଶାଲ
ତୁମେ ଦେଇଥିଲ ଜାଳି
ଅତି ସରାଗରେ କହିଥିଲ କାନେ
ରାତିରେ ଆସିବ ବୋଲି I
ରାତିକ ପାଇଁକି ସପନରେ ସଖୀ
ଆସିଥିଲ କିଆଁ କୁହ
ଛାତିରେ ଭରିଲ ଅସହ୍ୟ ଯନ୍ତ୍ରଣା
ଆଖିରେ ଭରିଲ ଲୁହ ।
ଦେଇଥିଲ ତୁମେ କେତେ ପ୍ରତିଶ୍ରୁତି
ଚାଲିବ ହାତକୁ ଧରି
ଗୋଟିଏ ରାତିରେ ସପନ ଭାଙ୍ଗିଲ
ଚାଲିଗଲ ପର କରି I
କେତେ ଉପହାର ଦେବ ବୋଲି ସଖୀ
କହିଥିଲ କାନେ କାନେ
ବାଟଭାଙ୍ଗି ତୁମେ ଚାଲିଗଲା ବେଳେ
ପଡିଲାନି କିଛି ମନେ ।
ନିଜହାତେ ମୋର ମିଳନ କୁଞ୍ଜ
ସଜାଇଥିଲି ମୁଁ ସଖୀ
ସବୁ ଜାଣି ତୁମେ ଅଜଣା ରହିଲ
ଭିଜାଇଲ ମୋର ଆଖି I