ସପନ ବିଚାର
ସପନ ବିଚାର
ସର୍ବଦା ମନର ଭାବନା କଳ୍ପନା
ସପନରେ ପରିଣତ
କେବେ ସେ ସପନ ସତ ରୂପ ନିଏ
ଜୀବନରେ ସାଜି ମିତ ।
ମନ ଭିଜି ଯାଏ ପ୍ରାଣ ସିକ୍ତ ହୁଏ
ଅଦ୍ଭୁତ ଅନୁଭବ
ପ୍ରକାଶ କରିବା ସହଜ ନୁହଁଇ
ମନ ବୁଝେ ମନ ଭାବ ।
ଅଶୁଭ ସପନ ନୟନେ ଭାସିଲେ
ଚମକି ଜାଗଇ ଜନ
କର ଯୋଡ଼ି ଡାକେ ଆହେ ମହାବାହୁ
ଶୁଭେ ଯାଉ ଆଜି ଦିନ ।
ରାତିର ପହିଲା ଘଡିରେ ଯେ ସ୍ବପ୍ନ
ହୁଏ ନାହିଁ ଏତେ ସତ
ଘୋର ସୁଖ ସୁପ୍ତି ନୟନେ ଘାରିଲେ
ସାଜେ ସେ ମନର ମିତ ।
ଅସ୍ପଷ୍ଟ ସ୍ବରରେ ଆଳାପେ ଆନନ୍ଦ
ସ୍ବପ୍ନ ଚିତ୍ର ମୁଗ୍ଧେ ପ୍ରେମ
ହୃଦେ ବିଜଡ଼ିତ କେତେ ସୁଖ ଶାନ୍ତି
ମୁଚୁଳାରେ ଢାଳେ ଶ୍ରମ ।
କେବେ ସ୍ଵପ୍ନ ନିଏ ଦୂର ରାଇଜକୁ
କେବେ ହିମାଳୟ ପାଦେ
ସପନ ଝୁଲଇ ମଳୟ ଦୋଳିରେ
ଧୀରେ ଧୀରେ ମନ୍ଦେ ମନ୍ଦେ ।
ସୁଖର ସାଗରେ ଭସାଇ ନିଏ ସେ
ନମାନେ ଜୁଆର ଭଟା
ନିଳମ୍ବୁ କୋଳରେ ନାଚି ଗାଇ ଉଠି
ଲହରିକୁ କରେ ସଟା ।
ଖଳ ଜନ ମନେ କୁତ୍ସିତ ସପନ
ସୁସ୍ବପ୍ନ ଦେଖଇ ସାଧୁ
କୁମାରୀ ଆଖିରେ ପ୍ରେମ ପଶାକାଠି
ଇନ୍ଦ୍ରଧନୁ ରଙ୍ଗେ ବଧୂ ।
ସପନ ବେଦୀରେ ଘୃତ ଢାଳୁ ଥାଏ
ମାନଗୋବିନ୍ଦର ମନ
ସେ ସପନ ଦିନେ ଜାଳି ପୋଡ଼ି ଦିଏ
ଅଭିମାନୀ ଗର୍ବ ମାନ ।
ସପନର ସାଥେ ବଦଳି ଯାଅନା
ଆପଣା କର୍ତ୍ତବ୍ୟ କର
କ୍ଷଣେ ସୁଖ ଦିଏ କ୍ଷଣିକେ ଲିଭାଏ
ବୁଝିବ ଏହାର ଭାର ।