ସପନ ଆରପାରି ଗାଁ (୧)
ସପନ ଆରପାରି ଗାଁ (୧)
ନଈ ଆରପାରି ସପନ ଗାଁ’ର ମୁଁ ସପନ ବଣିକ
ସପନେ ବିକେ ମୁଁ ସପନ ପଷରା ସେ କୂଳରେ ଦିନ ଯାକ
ବିଳାସ ବ୍ୟସନେ ମସଗୁଲ ସର୍ବେ ସେ ଗାଁ’ର ଯେତେ ଲୋକ
ଦେଖିଦେଲେ ଯାରେ ମନ ତଳେ ଜାଗେ ସପନେ ପ୍ରେମ ପୁଲକ
ନଈ ସେପାରିର ସପନ ଦୀପର କଥା
ଲେଖିବି ଭାବୁଛି ମନ କାଗଜରେ ପରୀ ରାଇଜ ବାରତା ।।
ତାରା ଫୁଲ ସତେ ସଜେଇ ଦେଇଛି ଜହ୍ନର ରୋଷଣୀ ନେଇ
ଫୁଟିଛି ମାଧବୀ ମାଳତୀ କଦମ୍ବ ଚୋରା ମଳୟ ତ ବାଇ
ଭ୍ରମର ଗୁଞ୍ଜିତ ସ୍ଵର ମୁଗ୍ଧ ତାନେ ଦୀପ ଉଛୁଳି ଉଠଇ
ସେ ଦୀପ ସପନ ସୁନ୍ଦରୀ ଚତୁରୀ ମନକୁ ନେଲା ଚୋରାଇ
ସପନ ଭାଙ୍ଗିଲା ରାତି ପାହିଗଲା କାହିଁ
ସହସା ଦେଖୁଛି ଶୂନ୍ୟ ବେଦନା ହସ ନେଲା ସେ ଚୋରାଇ ।।
ସୁଖ ଅଭିଳାଷ ହୃଦୟ ପଟଳେ ସପନେ ରଚିଲା ରାତି
ମୃଗତୃଷ୍ଣା ସେତ ଅଳିକ ଭାବନା କାହିଁ ଅବା ତାର ସ୍ଥିତି
କାତର ତୃଷ୍ଣାର୍ତ୍ତି ଜୀବନରେ ଦୁଃଖ ନାହିଁ ନାହିଁ ପରାଂଗତି
ସୁଖ ସଉଭାଗ୍ୟ ବିଳସେ ଜୀବନେ ଅଭିଳାଷ ହୀନ ବ୍ୟକ୍ତି
ସପନର ମିଛ ସୁଖ ଅଭିଳାଷ ମିଛ
ପରୀ ରାଇଜର ରାଜ କୁମାରୀ ସେ କାମନା ରୁ ହେଉ ତ୍ୟକ୍ତ ।।
ନଈ ସେ କୂଳର ମାଳତୀ କୁଞ୍ଜରୁ ଫୁଲ ରେଣୁ ଚହଟଇ
ସୁବାସ ମହକେ ମୋଗାଁ' ଭ୍ରମର ପ୍ରଜାପତି ମେଳି ହୋଇ
ସପନ ଗାଆଁ କୁ ଧାଡି ମେଲିଛନ୍ତି ବାଜେ ପ୍ରେମ ସାହାନାଈ
ମଝିରେ ସପନ ନଈ ବିଚି ମାଳେ ପ୍ରେମ ଭଉଁରୀ ଖେଳଇ
ସେ ଫୁଲ ପରସେ ମଧୁର ଅମୃତ ଧାରା
ସପନ ଗାଆଁ ର ସପନ କାମିନୀ ଫୁଲ ତହୁଁ ଦିଶେ ତୋରା ।।
ଦୁଃଖର ବିନାଶ ବର୍ଜିଲେ କାମନା ଝରେ ପ୍ରେମ ମନ୍ଦାକିନୀ
ଅଧିର ନହୋଇ ସୁଖ ସ୍ଵାତ୍ସ୍ୟନ୍ଦରେ ଭକ୍ତ ପ୍ରାଣ ପ୍ରମୋଦିନୀ
ପୁଲକ ଖେଳାଏ ଜୀବ ଜୀବନର ସେ ଅନନ୍ୟ ସ୍ରୋତସ୍ଵିନୀ
ସପନ ସାକାର କରିଲେ ଜୀବନ ଝଳେ ଯେହ୍ନେ ସୌଦାମିନୀ
ନଈ ଆରପାରି ସପନର ସେହି ଗାଆଁ
ଲୋଡା ନାହିଁ ଆଉ ମନ କାଗଜରୁ ଲିଭାଇ ଦେଲି ତା ନାଁ ।।