ଜୀବନ ସଂଗୀତ (ଦାରୁଣ ଦଇବ)
ଜୀବନ ସଂଗୀତ (ଦାରୁଣ ଦଇବ)
ଦିନେ ସଂସାର ହାଟ ସରିବରେ, ସଙ୍ଗାତ,
ଦାରୁଣ ଦଇବ,
ବାଟ ସରୁ ସରୁ ଘାଟ ମୂଲ ନେଇ
ତୋତେ ବାହୁଡାଇ ନେବ,
ସତ୍ୟ ଧର୍ମ ପଥେ ରହିଲେ ସିନା ରେ
ପଥରେ ସହାୟ ହେବ ରେ, ସଙ୍ଗାତ,
ଦାରୁଣ ଦଇବ ।।
ଅଢେଇ ଦିନର ୟେ ଜୀବନ ହାଟ
ପଦ୍ମ ଦଳେ ଯେହ୍ନେ ଜଳ
ତେମନ୍ତ ଜୀବନ ଅଥୟ ପବନ
ଅବିଶ୍ବାସ ତାର ଭାବ ରେ, ସଙ୍ଗାତ,
ଦାରୁଣ ଦଇବ ।।
ପରମ ପୁରୁଷ ପଦେ ଲୟ ଯେବ
ନିରତେ ତୋହର ଥିବ,
ରାମ କୃଷ୍ଣ ନାମ ଜପ କରୁଥିଲେ
ଜୀବନ ସାର୍ଥକ ହେବ ରେ, ସଙ୍ଗାତ
ଦାରୁଣ ଦଇବ ।।
ଜଗିଛି ରେ ପଥ ବାଟ ଡାକାୟତ
ବାଛି ବାଛି କରି ନେବ,
ନଛାଡିବ ଯେବେ ତୋ ପାଳି ପଡିବ
ନାହିଁ ତାର ଦୟା ଭାବ ରେ, ସଙ୍ଗାତ,
ଦାରୁଣ ଦଇବ ।।
ଆଜି ଠାରୁ ଧନ ଧର୍ମ ସଞ୍ଚିବାର
ବାଛିନିଅ ପୂଣ୍ୟ ପଥ,
ସେ ପଥ ହୁଡିଲେ କୁହଇ ପ୍ରଫୁଲ୍ଲ
ଭୋଗିବୁ ତା ପରାଭବ ରେ, ସଙ୍ଗାତ,
ଦାରୁଣ ଦଇବ ।।