ସଞ୍ଜିବନୀ
ସଞ୍ଜିବନୀ
ଚେରମୂଳି ଅବା ମନ୍ତ୍ର ଶକ୍ତି ବଳେ
ଜୀବନୀ ଶକ୍ତି ପ୍ରବାହ
ସଞ୍ଜିବନୀ ଶବ୍ଦ ଜୀବନ ସହିତ
ଶକ୍ତି ରୂପେ ପରିଚୟ
ବିଶଲ୍ୟକରଣୀ ସମ ଚେରମୂଳି
ଔଷଧର ପ୍ରୟୋଗରେ
ଲକ୍ଷ୍ମଣଙ୍କ ମୂର୍ଚ୍ଛା-ପଣ ଉପଶମ
ବର୍ଣ୍ଣନା ରାମାୟଣରେ
ଜୀବନର ସଜ୍ଞା ସଞ୍ଜିବନୀ ଧାରେ
ଜନ୍ମରୁ ହିଁ ପରିଚିତ
ସଞ୍ଜିବନୀ ସୁଧା ମାତୃ ସ୍ତନ୍ୟ ପାନେ
ଜୀବନୀ ଶକ୍ତି ଜାଗ୍ରତ
ପିତାମାତାଙ୍କର ସ୍ନେହ ଶ୍ରଦ୍ଧା ପ୍ରାୟ
ସଞ୍ଜିବନୀ ସମ୍ପର୍କର
ଜୀବନ ଯାତ୍ରାରେ ଜୀବନ୍ତ ଦେବତା
ଶିକ୍ଷା ଦିଅନ୍ତି ସଂସ୍କାର
ଗୁରୁ କୃପା ବଳେ ଜ୍ଞାନର ବିକାଶ
ହୁଏ ହୃଦ ଆଲୋକିତ
ସଞ୍ଜିବନୀ ସମ ବ୍ରହ୍ମ ଜ୍ଞାନ ଧାରେ
ସୁପ୍ତ ଆତ୍ମା ବି ଜୀବିତ
ସଞ୍ଜିବନୀ ସମ ଗୁରୁ ଜ୍ଞାନ ବଳେ
ଉତ୍ତମ ଚରିତ୍ର ସହ
ଅଜ୍ଞାନ ରୂପକ ଅନ୍ଧାର ହଟିବା
ସହଜରେ ଅନୁମେୟ
ରାମ କୃଷ୍ଣ ନାମ ଭଜନ କୀର୍ତ୍ତନ
ଜୀବ ମୁକ୍ତି ସଞ୍ଜିବନୀ
ମୃତ ପ୍ରାୟ ଆତ୍ମା ପ୍ରଭୁ ଗୁଣ ଗାନେ
ପ୍ରାଣ ଶକ୍ତି ଲଭେ ପୁଣି
ପରାମର୍ଶ,ଉପଦେଶ ଓ ପ୍ରେରଣା
ବଳେ ଜୀବନ ସୁଧାର
ସଞ୍ଜିବନୀ ସମ ନୂତନ ଉତ୍ସାହ
ଧାରେ ଜୀବନ ତତ୍ପର
ମୃତ,ଅର୍ଦ୍ଧମୃତ ଅବସ୍ଥାରେ ଯଦି
ଶକ୍ତି ବଳେ ଫେରେ ପ୍ରାଣ
ଚେରମୂଳି ହେଉ ଅବା ମନ୍ତ୍ର ଶକ୍ତି
ସଞ୍ଜିବନୀ ନାମେ ମାନ୍ୟ
ଭାବ,ଭକ୍ତି,ଶକ୍ତି,ମନ୍ତ୍ର, ମହୋଷଧି
ସଞ୍ଜିବନୀ ରୂପ ନିଏ
ମୃତକ ପ୍ରାଣରେ ଜୀବନୀର ଶକ୍ତି
ସଞ୍ଚାରିତ ଯଦି ହୁଏ
ଆଧ୍ୟାତ୍ମିକ କ୍ଷେତ୍ରେ ଉପଲବ୍ଧି ମନ୍ତ୍ର
ମହା ମୃତ୍ୟୁଞ୍ଜୟ ନାମେ
ସଞ୍ଜିବନୀ ସମ ଦିବ୍ୟ ଅନୁଭୂତି
ପ୍ରାପ୍ତ ହୁଏ କାଳ କ୍ରମେ
ଔଷଧୀୟ ଗୁଣ ଆୟୁର୍ବେଦ ଧାରେ
ସତ୍ତ୍ଵ ରଜ ତମ ଯୁକ୍ତ
ସଞ୍ଜିବନୀ ଶକ୍ତି ତ୍ରିଗୁଣ ଧାରାରେ
ହୋଇଅଛି ପ୍ରମାଣିତ
ତିନି ଗୁଣ ସମଷ୍ଟିରେ ଆୟୁର୍ବେଦ
ବାତ ପିତ୍ତ କଫ ଧାରେ
ସହଜରେ ଅନୁମେୟ ପ୍ରତ୍ୟକ୍ଷରେ
ଅଣସର ସମୟରେ
ଶ୍ରୀଅଙ୍ଗ ର ପୀଡ଼ା ଉପଶମ ଅର୍ଥେ
ଫୁଲୁରି ତୈଳ ମର୍ଦ୍ଦନ
ସଞ୍ଜିବନୀ ସମ ଶକ୍ତି ବି ଉପୁଜେ
ସମ୍ଭବ ନବ ଯୌବନ
ପ୍ରତି ଭାବନା ଓ ଗୁଣ ସହ ଯୋଡ଼ି
ସଞ୍ଜିବନୀ ଶବ୍ଦ ଧନ୍ୟ
ସଞ୍ଜିବନୀ ଶବ୍ଦ ଶକ୍ତି ସାମର୍ଥ୍ୟର
ସଜ୍ଞା ରୂପେ ନିରୂପଣ
ସଞ୍ଜିବନୀ ଶବ୍ଦ ଅପଭ୍ରଂଶ ଧାରେ
ମୃତ ସଞ୍ଜିବନୀ ସୁରା
ଆୟୁର୍ବେଦ ନାମେ ମାଦକ ଦ୍ରବ୍ୟର
ଔଷଧ ଆଳେ ପସରା !!
